ବନ୍ୟାରେ ଭାସୁଥିବା କାଠ ଆଣିବାକୁ ଉଦ୍ୟମ କରୁଥିଲେ ଯୁବକ, ଭସାଇ ନେଲା ପାଣି

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବୁଢାବାହାଲ ପଞ୍ଚାୟତ ଧୁମପାଲି ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତକ ହେଲେ ମନୋଜ ନାଗ (୨୪)।

ପୁଲିସ ସୂଚନା ମତେ ଧୁମପାଲି ଗ୍ରାମର ଭୀମସେନ ନାଗଙ୍କ ପୁଅ ମନୋଜ ନାଗ ଆଜି ସକାଳୁ ପାଇକ ସମରା ଗ୍ରାମ ନିକଟରେ ଥିବା ଖର୍ଲିଜୋର ବ୍ରିଜକୁ ଶୌଚ ହେବାକୁ ଯାଇଥିଲେ। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଉକ୍ତ ବ୍ରିଜ ଉପରେ ପାଣି ଆସୁଥିବାବେଳେ କାଠ ମଧ୍ୟ ଭାସିଆସୁଥିଲା। ସେ ପୋଲ ଉପରେ ଭାସୁଥିବା କାଠ ଆଣିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ମନୋଜଙ୍କୁ ପାଣିର ସ୍ରୋତ ଭସାଇ ନେଇଥିଲା।

ଖବର ପାଇ ସଇଁତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମନୋଜଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଇଁତଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଛି। ତେବେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସଜହରେ ଗ୍ରହଣ କରିପାରୁ ନଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର