ଜୟପୁର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟଶାଖାରେ ଟଙ୍କା ଜମା କରିବାକୁ ଲାଇନରେ ଠିଆ ହୋଇଥିବା ଜଣେ ଯୁବକଙ୍କର ଆଜି ସକାଳ ସାଢ଼େ ୧୦ଟା ବେଳେ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସୌରାସାହିର ୩୯ବର୍ଷିୟ ଟି.କେଶବ। ମୃତ କେଶବ ବିଜେପି ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ।
ଗତ କିଛି ଦିନ ହେବ ସେ ମଧୁମେହରେ ପୀଡ଼ିତ ରହିବା ସହ ଅସୁସ୍ଥ ରହିବା ସହ ଚିକିତ୍ସାଧୀନ ଥିଲେ। ଆଜି ସେ ଟଙ୍କା ଜମା କରିବା ପାଇଁ ଏସବିଆଇ ମୁଖ୍ୟଶାଖାକୁ ଯାଇଥିଲେ। ଟଙ୍କା ଜମା କରିବା ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ଅଚାନକ ଭାବେ ତଳେ ସେ ପଡ଼ିଯାଇଥିଲେ। ବ୍ୟାଙ୍କ ପକ୍ଷରୁ ତୁରନ୍ତ ଆମ୍ବୁଲାନସକୁ ଖବର ଦିଆଯାଇଥିଲା। ତେବେ ଏହାରି ମଧ୍ୟରେ ସେ ଗୋଟିଏ ବାନ୍ତି କରିବା ପରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ। ତାଙ୍କୁ ଉଠାଇ ଆମ୍ବୁଲାନସରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେବାରେ ସେଠାରେ ଡାକ୍ତର ବ୍ୟାଙ୍କରେ ହିଁ ତାଙ୍କ ପ୍ରାଣବାୟୁ ଚାଳିଯାଇଥିବା କହିଥିଲେ। ତାଙ୍କ ଶେଷକୃତ୍ୟ ଚମ୍ପାକୁପୁଲିରେ କରାଯାଇଥିଲା। ଜଣେ ମିଷ୍ଠଭାଷୀ, ହସକୁରା, ମେଳାପୀ ଯୁବକ ଭାବେ ସହରରେ ପରିଚିତ ଥିଲେ। ମୁଖ୍ୟରାସ୍ତାରେ ଥିବା ତାଙ୍କ ମାମୁଁ ଘରକୁ ଯାଇ ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଶ୍ରୀ ସାମନ୍ତରାୟ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଅଂଜଳୀ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସାବନ ମହାନ୍ତିଙ୍କ ସହ ବହୁ ଗନ୍ୟ ମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।