ଫିରିଙ୍ଗିଆ: କୁହୁଡ଼ି ଯୋଗୁଁ ଏକ ଅଟୋ ବାଘନଦୀକୁ ଖସିପଡ଼ିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ଅଞ୍ଚଳରେ ଘଟିଛି। ମୃତ ଯୁବକ ହେଲେ ପୁଅ ସିଦ୍ଧାନ୍ତ ମାଝୀ (୨୨)।
Advertisment
ସୂଚନା ଅନୁସାରେ ରତଙ୍ଗ ପଞ୍ଚାୟତ ଡେଲାରପଡ଼ା ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ ଏକ ଅଟୋ ଭଡ଼ାରେ ନେଇ ନୂଆପଦର ଗ୍ରାମକୁ ଯାଇଥିଲେ। ସେ ସୋମବାର ପ୍ରାତଃ ସମୟରେ ଘରକୁ ଫେରୁଥିଲେ। ଏହି ଫେରିବା ସମୟରେ ଘନ କୁହୁଡ଼ି ଯୋଗୁଁ ବନ୍ଧଗଡ଼ ପଞ୍ଚାୟତ ତେଲିମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବାଘନଦୀ ଭିତରକୁ ଅଟୋ ଖସି ଯାଇଥିଲା। ଫଳରେ ପାଣିରେ ବୁଡ଼ି ସିଦ୍ଧାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଖବର ପାଇ ଫିରିଙ୍ଗିଆ ପୁଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିଥିଲେ। ଶବ ପଞ୍ଚନାମା ପରେ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ମୃତକଙ୍କ ଦାଦା ରାମଚନ୍ଦ୍ର ମାଝୀ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତି କରି ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।