ବାରିପଦା: ସାପ କାମୁଡ଼ାରେ ଆକ୍ରାନ୍ତ ହୋଇ ପିଆରଏମ୍ ହସ୍ପିଟାଲ ଆସିଥିଲେ। ମାତ୍ର କରୋନାରେ ମଲେ। ଶେଷରେ ପରିବାରକୁ ଶବ ହସ୍ତାନ୍ତର କରାନଗଲାରୁ ପିଆରଏମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାରିପଦା ସଦର ଥାନା ଅନ୍ତର୍ଗତ ଦୁଧିଆଶୋଳ ମନ୍ମଥ ସିଂ(୨୬) ସାପ କାମୁଡ଼ାରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟା ୬ଟା ପରେ ପିଆରଏମ୍ରେ ଭର୍ତ୍ତି ହୋଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥିଲା।
ହସ୍ପିଟାଲରେ ଭର୍ତ୍ତି ହେବାବେଳେ ମୃତକ ମନ୍ମଥଙ୍କର କରୋନା ନଥିଲା କିମ୍ବା ତଦ୍ଜନିତ କୌଣସି ଲକ୍ଷଣ ମଧ୍ୟ ନଥିଲା। ମାତ୍ର ଗତକାଲି ରାତି ସାଢ଼େ ୯ରୁ ୧୦ଟା ମଧ୍ୟରେ ମନ୍ମଥଙ୍କର ମୃତ୍ୟୁ ଘଟିଥିଲା। ସକାଳୁ ସାପ କାମୁଡ଼ିଥିଲେ ମଧ୍ୟ ବିଳମ୍ବରେ ହସ୍ପିଟାଲ ଆଣିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ କହିଛନ୍ତି। ମାତ୍ର ଆଜି ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ମନ୍ମଥ କରୋନା କାରଣରୁ ମରିଥିବା ଦର୍ଶାଇ ତାଙ୍କ ଶବ ଦେବାକୁ ପରିବାରକୁ ମନା କରିଦେଇଥିଲେ।
ଏନେଇ ପରିବାର ଲୋକ ମନ୍ମଥଙ୍କୁ କେତେବେଳେ କରୋନା ହେଲା ବୋଲି ପ୍ରଶ୍ନ କରିଥିଲେ। ହସ୍ପିଟାଲରେ ଭର୍ତ୍ତି ହେବାବେଳେ କରୋନା ନଥିଲା ମାତ୍ର ମୃତ୍ୟୁପରେ କିପରି କରୋନା ସଂକ୍ରମିତ ହେଲେ ସେନେଇ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ପିଆରଏମ୍ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ମଥଙ୍କର କରୋନା ପରୀକ୍ଷା କେତେବେଳେ ହେଲା ସେନେଇ ପରିବାରକୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଯଦି କରୋନା ଥିଲା ତେବେ ତାଙ୍କୁ କିପରି ସାଧାରଣ ରୋଗୀଙ୍କ ଭଳି ଚିକିତ୍ସା କରାଯାଉଥିଲା, ସେନେଇ ମଧ୍ୟ ପରିବାରଲୋକ ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ କରୋନା ଚିହ୍ନଟ ହୋଇଥିବାରୁ ମୃତକ ମନ୍ମଥଙ୍କର ଶବକୁ ପରିବାରକୁ ହସ୍ତାନ୍ତର କରାନଯାଇ ପ୍ରଶାସନ ପକ୍ଷରୁ ଅନ୍ତିମ ସତ୍କାର କରାଯାଇଛି।