ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଦାଦନ ଦୁଃଖ ଥମିବାର ନା ନେଉନି। ୧୦ ଦିନ ମଧ୍ୟରେ ବ୍ଲକ ର ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାମ ଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାନୁଆଗୁଡ଼ା ଗ୍ରାମର ଶିବ ଗୌଡ଼ (୨୮) ସାହୁକାରଙ୍କ ନିର୍ଯାତନା ସହି ନ ପାରି ଶୁକ୍ରବାର ବିଳମ୍ବିତ ରାତ୍ରରେ ହାଇଦ୍ରାବାଦରେ ଜୀବନ ହାରିଥିବା ଜଣାପଡ଼ିଛି। ସୋମବାର ଦାଦନ ଶ୍ରମିକ ଶିବ ଗୌଡ଼ଙ୍କ ମୃତଦେହ ନିଜ ଗ୍ରାମ ବାନୁଆଗୁଡ଼ାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶର ଶେଷକୃତ୍ୟ ସଂପନ୍ନ ହୋଇଛି।
ସୂଚନା ଅନୁଯାୟୀ ବାନୁଆଗୁଡା ଗ୍ରାମର ଶିବ ଗୌଡ଼ ପରିବାର ପୋଷଣ ପାଇଁ ଦୁଇ ବର୍ଷ ହେଲା ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଏକ ଶଲୋ କମ୍ପାନିରେ କାର୍ଯ୍ୟ କରୁଥିଲେ। ତେବେ ଗତ ୧୬ ତାରିଖ ଶୁକ୍ରବାର ଦିନ ଶଲୋ କମ୍ପାନିର ମେନେଜର କୌଣସି କାର୍ଯ୍ୟକୁ ନେଇ ଶିବ ଗୌଡ଼ଙ୍କୁ ବାଡେଇ ଥିଲେ। ଏଥିରେ ଶିବ ଗୌଡ଼ ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ସହ ଦୁଶ୍ଚିନ୍ତାରେ ରହିଥିଲା। ସେହି ଶୁକ୍ରବାର ରାତ୍ରରେ ହାଇଦ୍ରାବାଦରେ ରହୁଥିବା ତା ନିଜ କୋଠରୀରେ ମାନସିକ ଭାରସାମ୍ୟ ହରାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା।
ତେବେ ସାଥିରେ ରହୁଥିବା ଅନ୍ୟ ଶ୍ରମିକମାନେ ଶନିବାର ସକାଳେ ଶିବ ତା କୋଠରୀ ମଧ୍ୟରୁ ବାହାରକୁ ନ ଆସିବାରୁ କବାଟ ଖୋଲି ଦେଖିବା ପରେ ଶିବ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିଲା। ଶିବ ଆତ୍ମହତ୍ୟା ଖବର ଜାଣିବା ପରେ ଅନ୍ୟ ଶ୍ରମିକମାନଙ୍କ ଭିଡ ହୋଇଥିଲା। ଏ ନେଇ ଶଲୋକମ୍ପାନି ମେନେଜର ହାଇଦ୍ରାବାଦ ପୁଲିସରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ହାଇଦ୍ରାବାଦରୁ ଶଲୋକମ୍ପାନି ମେନେଜରଙ୍କ ସହାୟତାରେ ଶବ ବାନୁଆଗୁଡ଼ାରେ ପହଞ୍ଚିଥିଲା। ମୃତ ଶିବ ଗୌଡ଼ର ସ୍ତ୍ରୀ ସହ ଗୋଟିଏ ୨ ବର୍ଷର ଝିଅ ରହିଛି। ଶିବ ଗୌଡଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇ ପଡ଼ିଛନ୍ତି।
ସୂଚନାଥାଉ କି ଗତ ୯ ତାରିଖରେ ତାମିଲନାଡୁ ରାଜ୍ୟର ତିରୁପୁରାରେ ଏକ କପଡ଼ା ସଂସ୍ଥାରେ କାର୍ଯ୍ୟ କରୁଥିବା ଡାବୁଗାଁ ବ୍ଲକ ଚିକିଲି ଗ୍ରାମ ନିକଟ ଚେର ଚେଟିଆଗୁଡ଼ାର ପରମାନନ୍ଦ ମାଝୀ କପଡ଼ା କାର୍ଟୁନ୍ ଓହ୍ଲାଇବା ସମୟରେ ଟ୍ରକ ଚକା ତଳେ ପଡି ମୃତ୍ୟୁବରଣ କରିଥିବା ବେଳେ ଗ୍ରାମର ଅନ୍ୟ ଜଣେ ଶ୍ରମିକ ଯଦୁ ଭତରା ଗୁରୁତର ଆହତ ହୋଇଥିଲେ। ବାରମ୍ବାର ପରିବାର ପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଡାବୁଗାଁ ବ୍ଲକର ଦାଦନ ଶ୍ରମିକମାନଙ୍କ ଦୁର୍ଘଟଣା ଓ ନିର୍ଯାତନାରେ ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନ ତରଫରୁ ମୃତ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।