ହୀରାକୁଦ : ଶିଳ୍ପନଗରୀ ହୀରାକୁଦରେ ପୁଲିସ୍‌ ମାଡ଼ରେ ବିଶ୍ୱନାଥ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଶନିବାର ରାତିରେ ହୀରାକୁଦ ଥାନା ଘେରାଉ କରିଛନ୍ତି। ଘଟଣା ସଂକ୍ରାନ୍ତରେ ଖବର ପାଇ ଏସ୍‌ପି ସଂଜୀବ ଅରୋରା ହୀରାକୁଦ ପହଂଚି ଥିଲେ। ରବିବାର ଶବ ବ୍ୟବଚ୍ଛେଦ କରାଯିବା ସହ ସିସିଟିଭି ଫୁଟେଜ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହି ଲୋକଙ୍କୁ ବୁଝାସୁଝା କରିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

Advertisment

ଅପରପକ୍ଷରେ ଏସ୍‌ପି ଶ୍ରୀ ଅରୋରାଙ୍କ ହସ୍ତକ୍ଷେପ ପରେ ହୀରାକୁଦ ଥାନାରେ ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ହୀରାକୁଦ କାଳୁପଡ଼ା ନିବାସୀ ବିଜୟ ବେହେରାଙ୍କ ପୁଅ ବିଶ୍ୱନାଥ ବେହେରା ଗତ ୧୭ ତାରିଖ ରାତିରେ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇଥିଲେ। କୌଣସି କାରଣରୁ ପୁଲିସ୍‌ ସହ ତାଙ୍କ ଯୁକ୍ତିତର୍କ ହୋଇଥିଲା। ପୁଲିସ୍‌ ସେଠାରୁ ବିଶ୍ୱନାଥଙ୍କୁ ଉଠାଇ ନେଇଥିଲା। ୧୯ ତାରିଖ ଦିନ ସେ ଘରକୁ ଫେରିଥିଲେ। ତାଙ୍କ ଜଂଘରେ ଆଘାତ ଲାଗିଥିଲା। ପୁଲିସମାନେ ତାଙ୍କୁ ମାଡ଼ପିଟ କରି ଏଭଳି କରିଥିବା ସେ ପରିବାର ଲୋକଙ୍କୁ କହିଥିଲେ। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଶନିବାର ସନ୍ଧ୍ୟାରେ ତାଙ୍କୁ ଚିକିତ୍ସା ପାଇଁ ହୀରାକୁଦ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା। ପୁଲିସର ମାଡ଼ ଯୋଗୁଁ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଗୁହାରି କରିଛନ୍ତି।