ଗଞ୍ଜାମ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ

ଛତ୍ରପୁର/ଭୁବନେଶ୍ବର: ଗଞ୍ଜାମ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ ଯୁବକ ଗଞ୍ଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନ ବୋରିଗାଁର ବାଦଲ ସାହୁ।
ସୂଚନା ଅନୁସାରେ ଗଞ୍ଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧିନ ବୋରିଗାଁର ଯୁବକ ବାଦଲ ସାହୁଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ। ଏ ନେଇ ବାଦଲ ଅନେକ ଥର ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେ ପୁଲିସ ପକ୍ଷରୁ ନ୍ୟାୟ ପାଇପାରି ନ ଥିଲେ। ଶେଷରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବାରୁ ବାଦଲ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି । ଛତ୍ରପୁରସ୍ଥିତ ଏସ୍ପି କାର୍ଯ୍ୟାଳୟ ସାମ୍ନାରେ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରାଯିବା ପୂର୍ବରୁ ସେ ଜଳିଯାଇଥିଲେ। ତାଙ୍କର ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା। ତାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା ପରେ ଏସପିଙ୍କ ଅଫିସ ଆଗରେ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ସଦସ୍ୟ। ତେବେ ଅଘଟଣ ଘଟିବା ଆଗରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ପରିବାରକୁ କାବୁ କରିଥିଲା।

ସମ୍ବନ୍ଧିତ ଖବର