ଅନ୍ଧବିଶ୍ବାସର କୁପରିଣତି: ଯୁବକଙ୍କୁ ୫ ଶହ ଚେଙ୍କ, ଶେଷ‌ରେ ଜୀବନ ଗଲା

କେନ୍ଦୁଝର : ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁ ନାହାନ୍ତି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର କେତେକ ଅଧିବାସୀ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣକ ପରେ ଜଣଙ୍କ ଜୀବନ ଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତ ଅନ୍ତର୍ଗତ ଉପର କଇଁସାରୀ ଗ୍ରାମରେ। ଚେଙ୍କ ଚିକିତ୍ସା ପାଇଁ ଏହି ଗ୍ରାମର ବିକାଶ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି। ଯକ୍ଷ୍ମାରୋଗରେ ଆକ୍ରାନ୍ତ ବିକାଶଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ନପାରି ଚେଙ୍କ ଚିକିତ୍ସା କରାଯାଉଥିଲା। ଗତ କିଛିଦିନ ହେଲା ତାଙ୍କ ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ଦେହରେ ପ୍ରାୟ ୫ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା। ଚେଙ୍କ ଖାଇଖାଇ ଦୁର୍ବଳ ହୋଇପଡ଼ିଥିବା ବିକାଶଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ଦୁଇ ଛୋଟଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି।

ଦୁଇ ବର୍ଷ ତଳେ ‘ସମ୍ବାଦ’ରେ ଏହି ଗ୍ରାମରେ ‘ଯକ୍ଷ୍ମା ନେଉଛି ଜୀବନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ସଦର ବିଧାୟକ ମୋହନ ଚରଣ ମାଝୀ ଖବର ଦେଖି ସଂପୃକ୍ତ ଗ୍ରାମକୁ ଯାଇ ସରଜମିନ ତଦନ୍ତ କରିଥିଲେ। ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗକୁ ତାଗିଦ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର ୨ ଜଣ ଗୁରୁତର ଯୁବକଙ୍କୁ କେନ୍ଦୁଝର ମୁଖ୍ୟ କିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଉତ୍ତମ ଚିକିତ୍ସା ଦିଆ ନଯାଇ କିଛିଦିନ ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। କିଛିଦିନ ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ମୃତ୍ୟୁବରଣ କରିଥିବା ବିକାଶ ମଧ୍ୟ ସେତେବେଳେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ଔଷଧ ଧରାଇ ଆଗକୁ ଭଲ ଚିକିତ୍ସା କରାଯିବ ବୋଲି କହି ଘରକୁ ପଠାଇ ଦେଇଥିଲେ। ସେହିଦିନରୁ ବିକାଶ ବିଛଣାରେ ପଡ଼ି ରହିଥିଲେ। ତାଙ୍କ ସ୍ତ୍ରୀ କାମଧନ୍ଦା କରି ସ୍ବାମୀ ଏବଂ ଦୁଇ ଛୁଆଙ୍କୁ ପୋଷୁଥିଲେ। ଅର୍ଥାଭାବରୁ ସ୍ବାମୀଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇପାରୁ ନଥିଲେ। ବିକାଶଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କେତେକଙ୍କ ପ୍ରରୋଚନାରେ ଦ୍ରୌପଦୀ ଚେଙ୍କ ଚିକିତ୍ସା କରାଇଥିଲେ। ଏହିପରି ଭାବେ ଚେଙ୍କ ଚିକିତ୍ସା କରି ତାଙ୍କ ଶରୀରରେ ୫ ଶହରୁ ଅଧିକ ଚେଙ୍କ ଦିଆଯାଇଛି। ଚେଙ୍କ ଚିକିତ୍ସାରେ ସ୍ବାସ୍ଥ୍ୟର ଉନ୍ନତି ହେବା ପରିବର୍ତ୍ତେ ଅଧିକ ବିଗିଡି ଯାଇଥିଲା। ଶେଷରେ ଆଜି ତାଙ୍କର ଜୀବନଦୀପ ଲିଭିଯାଇଛି।

ସୂଚନାଯୋଗ୍ୟ ଗତ ବର୍ଷକ ମଧ୍ୟରେ ଗ୍ରାମର ସମାର ମୁଣ୍ଡା (୩୮), ରାମ ମୁଣ୍ଡା (୪୨), ନବ ବେହେରା (୪୩), ରୁଣ ମୁଣ୍ଡା (୫୫), ସାଉନ୍ତି ଦେହୁରୀ (୫୫), ବାହାଦୂର ମୁଣ୍ଡା (୩୩), ଖ୍ୟାମ ମୁଣ୍ଡା (୩୫), କୃଷ୍ଣ ପେଣ୍ଠେଇ (୩୫), କାନ୍ଦ୍ରା ଦେହୁରୀ (୩୪) ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

ସମ୍ବନ୍ଧିତ ଖବର