ଅନୁଗୁଳ : ନା ସମ୍ପର୍କୀୟ, ନା ଚିହ୍ନାଜଣା। ନା ଜାତିର ନା ନିଜ ସମ୍ପ୍ରଦାୟର। ଦେବଦୂତ ସାଜି ପହଞ୍ଚିଲେ, ଆଉ ବିରଳ ଗ୍ରୁପ୍ର ରକ୍ତଦାନ କରି ଜଣେ ଗରିବ ଦିନମଜୁରିଆଙ୍କ ଗର୍ଭବତୀ ପତ୍ନୀଙ୍କୁ ନୂଆ ଜୀବନ ଦେଇଗଲେ। ସୋମବାର ରାଉରକେଲା ଅଞ୍ଚଳର ଜଣେ ଯୁବକଙ୍କ ଏହି ମହାନତା ଅନୁଗୁଳ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ସରାଙ୍ଗ ଗାଁର ମୁନା ବେହେରାଙ୍କ ସ୍ତ୍ରୀ ପ୍ରମିଳା ବେହେରା(୨୪) ଜଣେ ଗୃହିଣୀ। ଏବେ ସେ ୯ ମାସର ଗର୍ଭବତୀ। ଗତ ୨୦ ତାରିଖ ଦିନ ରକ୍ତ ପରୀକ୍ଷା ବେଳେ ହିମୋଗ୍ଲୋବିନର ପରିମାଣ ୬ ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଥିଲା। ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ପରୀକ୍ଷା ବେଳେ ଜଣାପଡ଼ିଲା ପ୍ରମିଳାଙ୍କ ରକ୍ତ ଗ୍ରୁପ୍ ହେଉଛି ‘ଓଏଚ୍ ପିଜିଟିଭ୍’(ବମ୍ବେ ଫେନୋଟାଇପ୍)। ଯାହାକି ଏକ ବିରଳ ଗ୍ରୁପ୍ର ରକ୍ତ। ଏକ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ ୪ ଜଣଙ୍କ ଠାରେ ଏହି ଗ୍ରୁପ୍ର ରକ୍ତ ଥିବା ଦେଖିବାକୁ ମିଳିଥାଏ।
‘ବମ୍ବେ ଫେନୋଟାଇପ୍’ ଗ୍ରୁପ୍ ସଂପର୍କରେ ଶୁଣିଲା ପରେ ଅତି ଗରିବ ମୁନା ଓ ତାଙ୍କ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ବିଭିନ୍ନ ଲୋକଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ବି ଏହି ଗ୍ରୁପ୍ର ରକ୍ତଦାତାଙ୍କ କୌଣସି ସନ୍ଧାନ ମିଳିନଥିଲା। ପରେ ପ୍ରମିଳାଙ୍କ ଦିଅର ନରେଶ ବେହେରା ଅନୁଗୁଳ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କଠାରୁ ସାଉଥ୍ ବଲଣ୍ଡାର ସ୍ବେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କ ମୋବାଇଲ ନମ୍ବର ପାଇ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଯୋଗେନ୍ଦ୍ର ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କଠାରୁ ରାଉରକେଲାର ଝିର୍ପାଣିରେ ରହୁଥିବା ରଜତ ଏକ୍କାଙ୍କ ମୋବାଇଲ ଫୋନ୍ ନମ୍ବର ସଂଗ୍ରହ କରିଥିଲେ।
ବି-ଟେକ୍ ଶିକ୍ଷା ସମାପ୍ତି ପରେ ରଜତ ଏବେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ରବିବାର ଯୋଗେନ୍ଦ୍ରଙ୍କ ଠାରୁ କଲ୍ ପାଇବା ପରେ ରଜତ ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୋମବାର ତଥା ଆଜି ଭୋର୍ରେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ ଧରି ସାଢ଼େ ୧୦ଟାରେ ଅନୁଗୁଳରେ ପହଂଚି ଯାଇଥିଲେ। ଅନୁଗୁଳ ଷ୍ଟେସନରେ ଅପେକ୍ଷାରତ ଯୋଗେନ୍ଦ୍ର ଓ ନରେଶଙ୍କ ସହିତ ସିଧା ଅନୁଗୁଳ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ। ଅପରାହ୍ଣରେ ରଜତ ପୁଣି ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଯୋଗେ ରାଉରକେଲା ଅଭିମୁଖେ ବାହାରି ଯାଇଛନ୍ତି। ଆସନ୍ତା କାଲି ପ୍ରମିଳାଙ୍କ ଶରୀରରେ ଏହି ରକ୍ତ ଚଢ଼ାଯିବ ବୋଲି ଜଣାପଡ଼ିଛି।