ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଚାଞ୍ଚେର ଗ୍ରାମରେ ପୋଖରୀରେ ବୁଡ଼ି ପବିତ୍ର ସାହୁଙ୍କ ପୁଅ ଆଲୋକ ସାହୁ (୧୬)ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ୧ଟାରେ ଆଲୋକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଆଉ ଫେରି ନଥିଲେ। କିଛି ସମୟ ପରେ ଗ୍ରାମର କିଛି ଲୋକ ପୋଖରୀ ପାଖରେ ଏକ ସାଇକଲ ଆଉ କପଡ଼ା ପଡ଼ିଥିବା ଦେଖି ପାଣି ଭିତରେ ଖୋଜାଖୋଜି କରିଥିଲେ। ବହୁତ ଖୋଜିବା ପରେ ପାଣିରୁ ଆଲୋକଙ୍କୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଅକୁ ହରାଇ ପିତାମାତା ଭାଙ୍ଗି ପଡ଼ିଛନ୍ତି।