ମାଲକାନଗିରି/ବାଲିମେଳା: ବିଭିନ୍ନ ପ୍ରକାର ଅନଲାଇନ ଖେଳ ନଖେଳିବା ପାଇଁ ସରକାର ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କମ ସମୟରେ ବହୁ ଅର୍ଥ ଉପାର୍ଜନ କରିବା ନିଶାରେ ଆଜିର ଯୁବପିଢ଼ି ବହୁ ଭୁଲ ପଦକ୍ଷେପ ନେବା ସହିତ ବହୁ ଅର୍ଥ ହରାଉଥିବାର ନଜିର ରହିଛି।ଅନଲାଇନ ଗେମ ଖେଳି ଅର୍ଥ ଧାର ହୋଇଯାଇ ଥିବାରୁ ନିଜ ଜୀବନ ହାରିଦେଇଛନ୍ତି ଜଣେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମବେଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୨୮ ଗ୍ରାମରେ। ମୃତ ଯୁବକ ହେଲେ ଅନିଲ ସରକାରଙ୍କ ପୁଅ ଦେବାଶିଷ ସରକାର(୩୨)।

Advertisment

ସୂଚନା ଅନୁସାରେ ଦେବାଶିଷ ଗୁରୁବାର ଭୋର ସକାଳୁ ଘରୁ ବାହାରକୁ ଚାଲି ଯାଇଥିଲେ। ପରିବାର ଲୋକେ ବାହାରକୁ ଯିବାର ଜାଣିଥିଲେ ମଧ୍ୟ ନିଜର ନିତ୍ୟକର୍ମ ସାରିବା ପାଇଁ ଯାଇଥିବେ ଭାବି ପରିବାର ଲୋକେ ଚୁପ ରହିଥିଲେ। କିନ୍ତୁ ଯିବାର କିଛି ସମୟ ପରେ ଗ୍ରାମ ନିକଟ ଏକ ମହୁଲ ଗଛରେ ଦେବାଶିଷଙ୍କ ମୃତଦେହ ଝୁଳୁଥିବାର ଦେଖି କିଛି ଲୋକ ଦେବାଶିଷଙ୍କ ଘରେ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଏକ ପ୍ଲାଷ୍ଟିକ ଦୌଡି ସାହାଯ୍ୟରେ ମହୁଲ ଗଛରେ ଦେବାଶିଷଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏନେଇ ଗ୍ରାମବାସୀ ତୁରନ୍ତ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ଜଣାଇବା ପରେ ଥାନା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଦେବାଶିଷଙ୍କ ମୃତଦେହକୁ ଜବତ କରିଛି। କିନ୍ତୁ ସଂଧ୍ୟା ହେବାରୁ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚିବା ବିଳମ୍ବ ହେବାରୁ ଶୁକ୍ରବାର ଶବ ବ୍ୟବଛେଦ ହେବ ବୋଲି କୋରକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ପ୍ରକାଶ କରିଛନ୍ତି।

ଦେବାଶିଷ ବହୁଦିନ ଧରି ଅନଲାଇନ ଗେମ ଖେଳରେ ଲିପ୍ତ ଥିଲେ। ପୂର୍ବରୁ ସେହି ଖେଳ ମାଧ୍ୟମରେ ବହୁ ଟଙ୍କା ମଧ୍ୟ ଜିତି ଥିଲେ। କିନ୍ତୁ ବର୍ତ୍ତମାନ କିଛିଦିନ ହେବ ଖେଳରେ ବହୁଟଙ୍କା ହାରିଯାଇଥିବାରୁ ଧାର କରଜ ମଧ୍ୟ ହୋଇଯାଇଥିଲେ। ଧାର ଆଣିଥିବା ଲୋକେ ଟଙ୍କା ମାଗିବାରୁ ସେ ଲୋକଙ୍କୁ ସେମାନଙ୍କ ଟଙ୍କା ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲା। ଟଂକା ପରିଶୋଧ କରିନପାରିବା ଜାଣିବା ପରେ ସେ ନିଜ ଜୀବନ ହାରିଦେଇଥିବା କୁହାଯାଇଛି। କିନ୍ତୁ ପୁଲିସ ଏନେଇ ତଦନ୍ତ କରୁଥିବା କହିଛି। ପ୍ରକୃତରେ କେତେ ଟଂକା ଧାର କରିଛି ଏବଂ କେଉଁ କାରଣରୁ ମୃତ୍ୟୁ ହୋଇଛି ତଦନ୍ତ ପରେ ହିଁ କୁହାଯାଇପାରିବ ବୋଲି ପୁଲିସ ଆଇଆଇସି ଶ୍ରୀ ବାରିକ କହିଛନ୍ତି।