ବୀରମହାରାଜପୁରର: ପତ୍ନୀଙ୍କ ସହ ପାରିବାରିକ କଳହ ଯୋଗୁଁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ। କିନ୍ତୁ ଆମ୍ବଗଛରେ ଝୁଲିପଡ଼ି ଜୀବନ ହାରିବା ପରେ ନିଜ ଝିଅର ଅବସ୍ଥା କ’ଣ ହେବ ସେଥିପାଇଁ ମଧ୍ୟ ଯୁବକ ଜଣକ ଚିନ୍ତା କରିଛନ୍ତି। ନିଜ ନାମରେ ଥିବା ସମସ୍ତ ସଂପତ୍ତି ଝିଅ ନାମରେ କରିଦେବାକୁ ସୁଇସାଇଡ ନୋଟ୍ ମାଧ୍ୟମରେ ପତ୍ନୀଙ୍କ ନିକଟରେ ଅନୁରୋଧ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁରର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତ ପଧାନପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବଗଛରୁ ଉଦ୍ଧାର ହୋଇଥିବା ମୃତ ଯୁବକ ହେଲେ ପଧାନପାଲି ଗାଁର କରୁଣାକର ପ୍ରଧାନଙ୍କ ପୁଅ ସୁବର୍ଣ୍ଣ ପଧାନ (ହାଡୁ, ୩୦ ବର୍ଷ)।
ସୂଚନା ଅନୁସାରେ ସୁବର୍ଣ୍ଣ ପଧାନ ସୋମବାର ଦିନ (୨୦୨୩ ଜୁନ ୧୨) ସ୍ତ୍ରୀ ନିରୁପମା ଓ ଏକ ବର୍ଷ ୩ ମାସର ଝିଅଙ୍କୁ ନେଇ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟସ୍ଥ ଲୁଚାବନ୍ଧ ଗ୍ରାମକୁ ଯାଇଥିଲେ। ସେଠାରେ ନିରୁପମାଙ୍କ ସହିତ ତାଙ୍କର କିଛି କଥାକୁ ନେଇ ମନୋମାଳିନ୍ୟ ସୃଷ୍ଟି ହୋଇଥିବାର କୁହାଯାଉଛି। ଏହା ପରେ ସୁବର୍ଣ୍ଣ ସେଠାରୁ ରାତାରାତି ବାଇକ୍ରେ ଏକୁଟିଆ ଘରକୁ ଫେରି ଆସିଥିଲେ। ସେ ଘରେ ବାଇକ୍ ରଖି ଗାଁପାଖ ଏକ ଆମ୍ବଗଛରେ ବେକରେ ରସି ଲଗାଇ ଝୁଲିପଡ଼ିଥିଲେ। କିନ୍ତୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସୁସାଇଡ ନୋଟ୍ରେ ନିଜର ଏଟିଏମ୍ ପାସ୍ୱାର୍ଡ ଲେଖିଦେବା ସହିତ ସମସ୍ତ ସମ୍ପତ୍ତି ଝିଅକୁ ଦେବାକୁ ତାଙ୍କ ପତ୍ନୀଙ୍କ ନିକଟରେ ଅନୁରୋଧ କରିଛନ୍ତି। ମଙ୍ଗଳବାର ଦିନ ଆମ୍ବ ଗଛରେ ସୁବର୍ଣ୍ଣଙ୍କ ଶବ ଝୁଲୁଥିବା କିଛି ଲୋକ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଥାନା ଅଧିକାରୀ ରାଜେଶ୍ବରୀ ଭୋଇଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଂଚି ଥିଲା। ଅମ୍ବଗଛରୁ ସୁବର୍ଣ୍ଣଙ୍କୁ ଉଦ୍ଧାର କରି ବୀରମହାରାଜପୁରର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ସୁବର୍ଣ୍ଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଶବ ଜବତ୍ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏଏସଆଇ ପ୍ରଦିପ କୁମାର ସାହୁ ଅଧିକ ତଦନ୍ତ ଚଳାଇଛନ୍ତି। ପ୍ରକୃତରେ ସୁସାଇଡାଲ୍ ନୋଟ୍ ସୁବର୍ଣ୍ଣ ନିଜେ ଲେଖିଛନ୍ତି ନା ଅନ୍ୟ କାହାର ଲେଖା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ।
ଅନ୍ୟପଟରେ ସୁବର୍ଣ୍ଣ ଜଣେ ଶାନ୍ତ ଓ ମେଳାପି ଯୁବକ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି। କେଉଁ ପରିସ୍ଥିତିରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ଚିନ୍ତା କରିହେଉ ନାହିଁ ବୋଲି ମୃତକଙ୍କ ବଡ଼ ଭାଇ ଗୁପ୍ତେଶ୍ୱର କହିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/5e05e3c7-9f9a-4bc6-9019-720f94602b2b.jpg)