ଥାନାବାବୁଙ୍କ ଗାଡ଼ି ଧରି ଯୁବକ ଛୁ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନାରୁ ଜଣେ ଯୁବକ ପୁଲିସ ଗାଡ଼ିକୁ ଧରି ପଳାଇଯିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଏହି ଯୁବକ ହେଉଛନ୍ତି, ଗଁଦିଆ ଅଞ୍ଚଳର ଧୀରେନ୍ଦ୍ର ସାମଲ। ଗତକାଲି ରାତିରେ ଧୀରେନ୍ଦ୍ର ସନ୍ଦେହଜନକ ଭାବେ ବୁଲୁଥିଲାବେଳେ ପୁଲିସ୍‌ ତାଙ୍କୁ ଧରିଥିଲା। ପାଟ୍ରୋଲିଂରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଘରେ ଛାଡ଼ିବାକୁ ଯାଉଥିବା ବେଳେ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ।

ବୁଧବାର ଭୋର୍‌ରେ ସେ ଏକ ସ୍କୁଟି ଧରି ଢେଙ୍କାନାଳ ସହରରେ ଚାଲିଚାଲି ଯାଉଥିବାବେଳେ ତାଙ୍କୁ ପୁଲିସ ଧରିଥିଲା। ଥାନାରେ ପଚରାଉଚରା ପରେ ସେ ଜଣେ ମାନସିକ ରୋଗୀ ଏବଂ ଚିକିତ୍ସାଧୀନ ରହିଥିବା ଜଣାପଡିବା ପରେ ଛାଡ଼ି ଦେଇଥିଲେ। ତେବେ, ସେ ଥାନା ଭିତରୁ ବାହାରି ଯିବା ସମୟରେ ଥାନାଧିକାରୀଙ୍କ ସରକାରୀ ବଲେରୋରେ ଚାବି ଲାଗିଥିବା ଦେଖିଥିଲେ। ଏହାପରେ ତତ୍‌କ୍ଷଣାତ୍‌ ସେହି ବଲେରୋ ନେଇ କଟକ ଆଡ଼େ ଦ୍ରୁତ ଗତିରେ ପଳାଇଥିଲେ। ଏହା ଦେଖି ଦୁଇଟି ପୁଲିସ ଗାଡ଼ି ତାଙ୍କୁ ପିଛା କରିଥିଲା। ଖୁଣ୍ଟୁଣୀ ପୂର୍ବରୁ ପୁଲିସ ଗାଡ଼ି ଏହି ଯୁବକଙ୍କୁ ଅଟକାଇ ଗାଡ଼ି ସହ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଧୀରେନ୍ଦ୍ର ଜଣେ ମାନସିକ ରୋଗୀ ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୁଲିସକୁ କହିଥିଲେ। ‌ତେଣୁ, ଏ ସଂପର୍କରେ ମାମଲା ରୁଜୁ ନକରି ତାଙ୍କ ବୟାନର ସତ୍ୟତା ଯାଞ୍ଚ କରୁଛି ବୋଲି ଟାଉନ ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର