ଛେଳିକୁ ଧରି ଥାନାର ଦ୍ୱାରସ୍ଥ ହେଲେ ଯୁବକ

ସୋର : ପଡ଼ୋଶୀଙ୍କ ଛେଳି ଘରେ ପଶି ଚାଉଳ ଖାଇଗଲା। ଆଉ କ୍ଷତିଭରଣା ପାଇଁ କ୍ଷତିଗ୍ରସ୍ତ ଯୁବକ ଛେଳିକୁ ମାରି ତାର ମାଂସ ଖାଇ ଦେଇଥିଲେ। ପରେ ଥାନାରେ ଛେଳି ମାଲିକ ଅଭିଯୋଗ କରିବାରୁ ୮ ହଜାର ଟଙ୍କା ତଣ୍ତ ଗଣିଥିଲେ ସମ୍ପୃକ୍ତ ଯୁବକ। ଏହି ଘଟଣାର ପ୍ରାୟ ୮ ମାସ ପରେ ଅର୍ଥାତ ଦୁଇ ଦିନ ତଳେ ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା। ପଡ଼ୋଶୀ ଛେଳି ମାଲିକଙ୍କ ଆଉ ଏକ ଛେଳି ପୁଣି ସେହି ଯୁବକଙ୍କ ଘରେ ପଶି ଚାଉଳ ଖାଇଯାଇଥିଲା। ଏଥର କିନ୍ତୁ ଯୁବକ ଜଣକ ଛେଳିଟିକୁ ପୂର୍ବ ଭଳି ନମାରି ତାକୁ ନେଇ ସୋର ଥାନାରେ ପହଞ୍ଚିଲେ।

ଥାନାରେ ଅଭିଯୋଗ କରି କହିଥିଲେ, ବାରମ୍ବାର ତାଗିଦ୍‌ ପରେ ବି ପଡ଼ୋଶୀଙ୍କ ଛେଳି ମୋ ଘରେ ପଶି ଚାଉଳ ଖାଇଯାଉଛି। ଏଥର ପ୍ରମାଣ କରାଇବାକୁ ଛେଳିକୁ ସାଙ୍ଗରେ ନେଇ ଥାନାକୁ ଆସିଛି। ଛେଳି ପେଟରେ ଚାଉଳ ଅଛି କି ନାହିଁ, ତାର ପ୍ରମାଣ ନିଅନ୍ତୁ ଆଉ ତାକୁ ଗିରଫ କରି ମୋତେ ନ୍ୟାୟ ଦିଅନ୍ତୁ। ସୋର ପୌରାଞ୍ଚଳ ଅନ୍ତର୍ଗତ ଉତ୍ତରେଶ୍ବର ନିକଟ ଚିନ୍ତାମଣିପଦା ବସ୍ତିରେ ରହୁଥିବା ରଞ୍ଜିତ ନାୟକଙ୍କଠାରୁ ଏଭଳି ଅଭିଯୋଗ ପାଇ ପୁଲିସର ବି ଅକଲଗୁଡୁମ୍‌ ହୋଇ ଯାଇଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର