ପ୍ରେମିକାର ଦୁର୍ବଳ ମୁହୂର୍ତ୍ତର ଫଟୋ ଭାଇରାଲ କଲା ପ୍ରେମିକ

ଭୁବନେଶ୍ବର: ପ୍ରେମିକାର ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରିବା ପ୍ରେମିକ ପାଇଁ ମହଙ୍ଗା ପଡ଼ିଛି। କମିସନରେଟ ପୁଲିସ  ରସିକିଆ ପ୍ରେମିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଲୋକନାଥ ମହରାଣା (୨୫)।

ପୁଲିସ କହିବା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବଡ଼ହାଟର ସୁବାସ ଚନ୍ଦ୍ର ମହରଣାଙ୍କ ପୁଅ ଲୋକନାଥ ମହାରଣା ଭୁବନେଶ୍ବରର  ୟୁନିଟ-୩ସ୍ଥିତ ଖାରବେଳନଗର ଥାନା ଅଧୀନ ଜନପଥ ରୋଡରେ ଥିବା ଏକ ଗହଣା ଦୋକାନରେ ସେଲ୍‌ସ କର୍ମଚାରୀ ଭାବେ କାମ କରୁଥିଲା। ଏହାରି ଭିତରେ ସେ ଖାରବେଳନଗର ଅଞ୍ଚଳରେ ଅନ୍ୟ ଏକ ଗହଣା ଦୋକାନରେ କାମ କରୁଥିବା ପୀଡିତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା। ଲୋକନାଥ ନିଜ ମୋବାଇଲ ଫୋନ୍‌ରେ ଉକ୍ତ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରଖିଥିଲା। ଉକ୍ତ ଯୁବତୀଙ୍କୁ ସେହି ଭିଡ଼ିଓ ଓ ଫୋଟୋକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା।

ଅଭିଯୁକ୍ତ ଲୋକନାଥ ମହରଣା ସେହି ଭିଡ଼ିଓ ଓ ଫଟୋକୁ ଯୁବତୀଙ୍କ ଘର ଲୋକଙ୍କୁ ପଠେଇବେ ବୋଲି ଧମକ ଦେଉଥିଲା। ଶେଷରେ ସାମାଜିକ ଗଣମାଧ୍ୟମ (ଫେସବୁକ) ମାଧ୍ୟମରେ ସେହି ଭିଡ଼ିଓ ଓ ଫୋଟୋକୁ ଯୁବତୀଙ୍କ ପରିବାର ଲୋକଙ୍କୁ ପଠେଇଦେଇଥିଲା। ଯୁବତୀ ଜଣକ ଖାରବେଳନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଲୋକନାଥକୁ ଗିରଫ କରିଛି। ଗିରଫ ହେବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର