ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

କ୍ଷତିପୂରଣ ପ୍ରଦାନ ଓ ମଦ ବେପାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଲରମ୍ଭା/ଖପ୍ରାଖୋଲ/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗାଁର ଗୌରଚନ୍ଦ୍ର ସେଠଙ୍କ ପୁଅ ଆଶିଷ ସେଠ (୧୯ବର୍ଷ)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ମଦ ବେପାରୀଙ୍କୁ ଗିରଫ ଦାବି କରି ସୋମବାର ପାଟଣାଗଡ଼-ପଦ୍ମପୁର ରାସ୍ତାର ଜୁରିଆ ଛକରେ ରାସ୍ତାରୋକ କରାଯାଇଥିଲା। ଲୁହାସିଂହା ସରପଞ୍ଚ ରଞ୍ଜିତା ସୁନାଙ୍କ ନେତୃତ୍ବରେ ଅଞ୍ଚଳର ବହୁ ଲୋକ ଏଥିରେ ସାମିଲଥିଲେ।ଖବର ପାଇ ଲରମ୍ଭା ଥାନା ଅଧିକାରୀ ବାରିଣୀ ଦାସ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, କଂଗ୍ରେସ ନେତା ଇଂ ରମେଶ ପୁରୋହିତ, ପୂର୍ବ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ପ୍ରକାଶ ଯେ ଜୁରିଆ ଗ୍ରାମ ବନମାଳୀ ଛକ ଆମ୍ବ ତୋଟା ନିକଟରେ ଦମେଇପାଲି ଗାଁର ଲିଙ୍ଗରାଜ ରାଣା ବେଆଇନ ଦେଶୀ ମଦକୋଠି କରିଛନ୍ତି। ସେଠାକୁ ଜୁରିଆ ଗାଁର ଆଶିଷ ସାଙ୍ଗସାଥୀଙ୍କ ସହ ଯାଇଥିଲେ। ସେଠାରୁ ବାହାରି ନିକଟରେ ଥିବା ମଦକୋଠି ମାଲିକଙ୍କ ବୋରୱେଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ବୋରୱେଲ ପାଖରେ ଥିବା ବିଦ୍ୟୁତ୍‌ ପେନାଲ ବୋର୍ଡ ଉପରେ ଆଶିଷ ତାଙ୍କ ଓଦା କପଡ଼ା ରଖିବା ସମୟରେ ବିଦ୍ୟୁତ୍ ଆଘାତ ପାଇ ପ୍ରାଣ ହରାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଥିଲେ। ପରେ ପରିବାର ବର୍ଗ ଓ ଗ୍ରାମବାସୀ ଜୁରିଆ ବସଷ୍ଟାଣ୍ତଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଓ ବିଦ୍ୟୁତ ବିଭାଗ ଏସ୍‌ଡିଓ ରାମଚନ୍ଦ୍ର ମେହେର ପହଞ୍ଚିଥିଲେ। କ୍ଷତିପୂରଣ ପାଇଁ ତଦନ୍ତ କରି ଏକ ରିପୋର୍ଟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦେଇଥିଲେ। ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ରେଡ୍‌କ୍ରସ୍‌ରୁ ୧୦ ହଜାର ଟଙ୍କା ଦେବା ସହ ସରକାରୀ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏସ୍‌ଡିପିଓ ଶ୍ରୀ ଭୁକ୍ତା ବେଆଇନ ଭାବେ ମଦ ବିକ୍ରି କରୁଥିବା ବେପାରୀଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପେର ଅନ୍ଦୋଳନକାରୀମାନେ ରାସ୍ତାରୋକରୁ ଓହରିଥିଲେ।

ସମ୍ବନ୍ଧିତ ଖବର