ଯୁବକଙ୍କୁ ଅପହରଣ ପରେ ହତ୍ୟା

ମୃତଦେହ ପୋଡ଼ିବାକୁ ଉଦ୍ୟମ, ଅପହରଣକାରୀମାନେ ଫେରାର୍‌

ପାଟପୁର/କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରୁ ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ(୪୦) ବୋଲି ଜଣାପଡ଼ିଛି।

କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ଗୋବିନ୍ଦପୁର ଗ୍ରାମର ଟୁଟୁ ଗତକାଲି ଅପରାହ୍ନରେ ଘରେ ଥିଲେ। ଏହିସମୟରେ ବ୍ରହ୍ମପୁର ଭାବାନଗର ଅଞ୍ଚଳର ବାପାପୁଅଙ୍କ ସମେତ ପ୍ରାୟ ୬ଜଣ ଲୋକ ତାଙ୍କ ଘରେ ପହଞ୍ଚିଥିଲେ। ସେମାନେ ଜୋର ଜବରଦସ୍ତ ଘ‌ର ଭିତରକୁ ପ୍ରବେଶ କରିଥିଲେ। ମନା କରିବା ସତ୍ତ୍ବେ ଜିନିଷପତ୍ର ଫିଙ୍ଗାଫୋପଡ଼ା କରି ଟୁଟୁଙ୍କୁ ମାଡ଼ ମାରିଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବାରୁ ସେଠାରେ ବହୁଲୋକ ରୁଣ୍ଡ ହୋଇଥିଲେ। ହେଲେ, ସେମାନେ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଜୋର୍‌ଜବରଦସ୍ତ ଟୁଟୁଙ୍କୁ ଏକ ଜାଇଲୋ କାର୍‌ରେ ଅପହରଣ କରି ନେଇଥିଲେ ବୋଲି ପତ୍ନୀ ରୋଜି କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ କବିସୂର୍ଯ୍ୟନଗର ଥାନା ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସେପଟେ ଗତକାଲି ସଂଧ୍ୟାରେ ପାଟପୁର ଥାନା ଅନ୍ତର୍ଗତ ଝରଣଗାଁ ନିକଟସ୍ଥ କାଜୁ ଜଙ୍ଗଲ ନିକଟରେ ଟୁଟୁ ନାହାକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ବୃତ୍ତମାନେ ସେଠାରେ ମୃତଦେହ ପୋଡ଼ିବାପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ଦେଖିଥିଲେ। ଫଳରେ, ଦୁର୍ବୃତ୍ତମାନେ କାର୍‌ ଧରି ସେଠାରୁ ଚମ୍ପଟ୍ ମାରିଥିଲେ। ପାରିବାରିକ ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଟୁଟୁଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର