ନାବାଳକର ନାରକୀୟ କାଣ୍ଡ: ପଥରରେ ଛେଚି ଯୁବକଙ୍କ ଜୀବନ ନେଲା

ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ଆମସଢ଼ା କଟାପାଲି ଗ‌ାଁ ଧୁଡ଼ିଆପଡ଼ା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ନାବାଳକଙ୍କ ପଥର ଛେଚାରେ ଧୁଡିଆପଡ଼ା ଅଞ୍ଚଳର ବିନୋଦ ଓରାମ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଶବ ଜବତ କରିବା ସହିତ ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ମୃତ ବିନୋଦ ଏକ ନିର୍ମାଣାଧୀନ କୋଠାର ଚଟାଣରେ ଶୋଇ ବ୍ଲୁ’ ଟୁଥ୍ ସ୍ପିକରରେ ଗୀତ ଶୁଣୁଥିଲା। ଏହି ସମୟରେ ବାହାର ଅଞ୍ଚଳରୁ ମାମୁଁ ଘରକୁ ବୁଲି ଆସିଥିବା ଏହି ନାବାଳକ ଯୁବକ ବିନୋଦ ପାଖରେ ବସିଥିଲା। କିଛି ସମୟ ପରେ ବିନୋଦ ଶୋଇ ପଡ଼ିଲା ଭାବି ନାବାଳକ ଜଣକ ସେହି ବ୍ଲୁ’ ଟୁଥ ସ୍ପିକର ଛଡ଼ାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ନିଦରେ ଥାଇ ମଧ୍ୟ ବିନୋଦଠାରୁ ସ୍ପିକର ଛଡ଼ାଇ ନ ପାରିବାରୁ ନାବାଳକ ପାଖରେ ଥିବା ଏକ ବଡ ପଥର ଆଣି ତାକୁ ବାରମ୍ବାର ଛେଚିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ବିନୋଦର ମୃତ୍ୟୁ ହୋଇଥିଲା। ଶବ୍ଦ ଶୁଣି ନିର୍ମାଣାଧୀନ କୋଠଘରର ମାଲିକ କିଏ କଣ ଚୋରି କରିବା ପାଇଁ ଆସିଛି ଭାବି ଦେଖିବା ବେଳେ ମୃତଦେହ ଦେଖି ଚିତ୍କାର କରିଥିଲେ।

ଚିତ୍କାର ଶୁଣି ପାଖ ପଡୋଶୀ ପହଞ୍ଚି ପୁଲିସ୍‌କୁ ସୂଚନା ଦେଇଥିଲେ। ବିନୋଦ ମୁଣ୍ଡର ସାମ୍ନା ପଟ, ପଛ ପଟ ଓ ଛାତିରେ ଗଭୀର ଆଘାତ ଲାଗିଛି। ଏହାପରେ ପୁଲିସ୍ ନାବାଳକକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ନାବାଳକଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି। ରବିବାର ସକାଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ପହଞ୍ଚି ରକ୍ତ ନମୁନା, ହାତ ଚିହ୍ନ ତଥା ବିଭିନ୍ନ ପାରିପର୍ଶ୍ଵିକ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ନାବାଳକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ହତ୍ୟାକାଣ୍ଡ କରିଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର