ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ କବାଟଘାଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଳହରୁ ପୁତୁରାର ଆକ୍ରମଣରେ ବଡ଼ବାପା ଓ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବିବରଣୀରୁ ପ୍ରକାଶ ଯେ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡ଼ ଟିକାୟତପୁର ଗ୍ରାମର ହାରା ବିନ୍ଧାଣୀ ସପରିବାର ରାଇବଣିଆ ପଞ୍ଚାୟତର କବାଟଘାଟି ଗ୍ରାମରେ ଥିବା ନିଜର ସାନଭାଇ ଜଗନ୍ନାଥଙ୍କ ଘରକୁ ରଜ ଉପଲକ୍ଷେ ବୁଲିବାକୁ ଆସିଥିଲେ। ତେବେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଆଉ ଏହି ସମୟରେ ଜଗନ୍ନାଥଙ୍କ ପୁଅ ପ୍ରଫୁଲ୍ଲ ବଡ଼ବାପା ହାରା ବିନ୍ଧାଣୀ (୬୨) ଓ ତାଙ୍କ ପୁତ୍ର କ୍ରିଷ୍ଣା ବିନ୍ଧାଣୀ (୩୨)ଙ୍କୁ ଏକ ଲୁହାରଡରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

Advertisment

ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ପ୍ରଫୁଲ୍ଲର ଆକ୍ରମଣରେ ହାଡୁ ସିଂ ନାମକ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପ୍ରଫୁଲ୍ଲ ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି।