ହାଣ୍ଡିଆ ଭାଟିରେ ଯୁବକଙ୍କୁ ହତ୍ୟା

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବାଇପାସ୍‌ରେ ଥିବା ହାଣ୍ଡିଆ ଭାଟି ନିକଟରୁ ପୁଲିସ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କୁ ପ୍ରାୟ ୨୫ ବର୍ଷ ହେବ ବୋଲି ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ହାଣ୍ଡିଆ ଭାଟି ନିକଟରେ ଥିବା ଏକ ପୋଲ ତଳେ ଜଣେ ଯୁବକଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଗାଁ ଥାନା ଅଧିକାରୀ ସୁବ୍ରତ କୁମାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ମୃତକଙ୍କ ପରିଚୟ ମିଳି ନଥିବାରୁ ଶବକୁ ସଂରକ୍ଷିତ ରଖାଯାଇଛି। ଅନ୍ୟପକ୍ଷରେ ହାଣ୍ଡିଆ ବିକ୍ରି କରୁଥିବା ଲୋକେ ସେଠାରୁ ଉଠି ପଳାଇଛନ୍ତି। ହାଣ୍ଡିଆ ଭାଟିରେ ଗଣ୍ଡଗୋଳ ପରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଏଠାରେ ଘଟିଛି ନା ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ମୃତଦେହକୁ ଏଠାରେ ଆଣି ଫିଙ୍ଗା ଯାଇଛି ତା’ର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ସୁବ୍ରତ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଘଟଗାଁ ମା’ ତାରିଣୀ ମନ୍ଦିରଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ହାଣ୍ଡିଆ ଭାଟି ରହିଛି। ଟ୍ରକ୍‌ ଚାଳକମାନେ ବିଭିନ୍ନ ସମୟରେ ଏଠାରେ ଟ୍ରକ୍‌ ରଖି ହାଣ୍ଡିଆ ପିଇବା ସହ ଗଣ୍ଡଗୋଳ କରୁଛନ୍ତି। ସେହିପରି ଏଠାରେ ଅସାମାଜିକଙ୍କ ଆଡ଼ା ଜମୁଛି। ହାଣ୍ଡିଆ ପିଇ ଲୋକେ ବିଭିନ୍ନ ସମୟରେ ମା’ ତାରିଣୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ନଜିର ରହିଛି। ତୁରନ୍ତ ଏଠାରୁ ହାଣ୍ଡିଆ ଭାଟି ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର