ହାଣ୍ଡିଆଭାଟିରେ ଯୁବକଙ୍କୁ ହତ୍ୟା ଘଟଣା: ୩ ଗିରଫ

ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିରଠାରୁ କିଛି ଦୂରରେ ଥିବା ହାଣ୍ଡିଆଭାଟି ନିକଟରେ ମେ ୧ ତାରିଖରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଘଟଗାଁ ଥାନା ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଉପରଡିହା ଗ୍ରାମର  ବିଦେଶୀ ମହ୍ଲାର, ପିଣ୍ଟୁ ମହ୍ଲାର ଓ ରଂଜିତ ପାତ୍ର ବୋଲି ଜଣାପଡ଼ିଛି। ହାଣ୍ଡିଆ ପିଇବାକୁ ନେଇ ବଚସା ହେବା ପରେ ଅଭିଯୁକ୍ତମାନେ ନବିକୁ ପିଟିପିଟି ହତ୍ୟା କରିଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, ମେ ୧ ତାରିଖରେ ଅଭିଯୁକ୍ତଙ୍କ ସହ ମିଶି ନବି ହାଣ୍ଡିଆ ପିଉଥିଲେ। କ‌ୌଣସି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଅଭିଯୁକ୍ତମାନେ ନବିଙ୍କୁ ପିଟିପିଟି ହତ୍ୟା କରିବା ସହ ତାଙ୍କ ମୃତଦେହକୁ ନେଇ ପାଖରେ ଥିବା ଏକ ପୋଲ ତଳେ ଫିଙ୍ଗି ଦେଇଥି‌ଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହାଣ୍ଡିଆ ବିକ୍ରି କରୁଥିବା ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଥିଲା। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ କିଛିଦିନ ଜଙ୍ଗଲରେ ଲୁଚିଥିଲେ। ଗତକାଲି ସେମାନେ ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥର ଦରଖଳାସ୍ଥିତ ହାଣ୍ଡିଆଭାଟିରେ ମଦ ପିଉଥିବା ବେଳେ ଘଟଗାଁ ଥାନା ଅଧିକାରୀ ସୁବ୍ରତ କୁମାର ଓ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଶମ୍ଭୁନାଥ ନାୟକ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର