ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳିଛକ ନିକଟରେ ପିକ୍ଅପ୍ ଭ୍ୟାନ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଗୋଡ଼ିଉପର ଗ୍ରାମର ଗୌରୀଶଙ୍କର ନାୟକ (୪୪)। ଗୌରୀଶଙ୍କର ରାଜସ୍ଥାନରେ କାର୍ଯ୍ୟ କରୁଥିଲେ।

ଶୁକ୍ରବାର ଭୋର ସମୟରେ ସେ ଘରେ ପହଞ୍ଚିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାବେଳେ ପୁଅ ହ୍ରିତୀଶକୁ ବାଇକ୍‌ରେ ଆନନ୍ଦପୁର ଡାକ୍ତରଖାନା ନେଇ ଯାଉଥିବାବେଳେ ବେଲବାହାଳି ନିକଟରେ ସାମ୍ନାରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୌରୀଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ନିଆଯାଉଥିବା ବେଳେ ବଡ଼ଚଣା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ ହ୍ରିତୀଶ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ କଟକ ନିଆଯାଇଥିବା ପରିବାର ଲୋକେ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ରାତିରେ ଗ୍ରାମକୁ ଅଣାଯାଇଛି। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୌରୀଶଙ୍କରଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର