ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା: ୬ ଅଟକ

ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ପଞ୍ଚାୟତ ବଚକ ପଡ଼ିଆ ନିକଟରେ ଗୁରୁବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଚଷାଖଣ୍ଡ ଗ୍ରାମର ବାମଦେବ ଜେନାଙ୍କ ପୁଅ ଧୀରେନ୍ଦ୍ର କୁମାର ଜେନା (୪୫)। ଏଥିନେଇ ଧୀରେନ୍ଦ୍ରଙ୍କ ଭାଇ ଅଜୟ ଜେନା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ତଦନ୍ତ କରିବା ସହ ନଂ.୧୬୨/୨୨ରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୁଲିସ ଏଯାବତ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ରକ୍ତଭିଜା ମାଟି, ୩ ହଳ ଜୋତା ସହ ବିଭିନ୍ନ ଜିନିଷ ଜବତ କରିଛି। ଶନିବାର ୪ ଜଣିଆ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚଷାଖଣ୍ଡ ଗ୍ରାମ ବଚକ ପଡ଼ିଆରେ ରହୁଥିବା ମନୁ ଜେନା ଓ ଧୀରେନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ରହିଥିଲା। ମାଛଧରାକୁ କେନ୍ଦ୍ରକରି ଗତ ୯ ତାରିଖ ସନ୍ଧ୍ୟାରେ ମନୁ ଜେନାଙ୍କୁ ଧୀରେନ୍ଦ୍ରଙ୍କ ସମେତ ଆଉ କେତେଜଣ ଆକ୍ରମଣ କରିଥିଲେ। ମନୁ ଆହତ ହୋଇ ମଙ୍ଗଳପୁର ଡାକ୍ତରଖାନା ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ସେ ଘରକୁ ଫେରିବା ପରେ ଧୀରେନ୍ଦ୍ରଙ୍କୁ ଗୁରୁବାର ରାତି ପ୍ରାୟ ୮ଟାରେ ଆକ୍ରମଣ ହୋଇଥିଲା।

ଧୀରେନ୍ଦ୍ରଙ୍କୁ ହାଣି ବିଲରେ ପକାଇ ଦେଇଥିଲେ। ଫଳରେ କେହି ଜାଣିପାରିନଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଯାଜପୁର ପହଞ୍ଚିବା ପୂର୍ବରୁ କାଟିଆଛକଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ଶେଷକୃତ୍ୟ କରାଯାଇଛି। ଏ ଘଟଣାରେ ମନୁ ଜେନାଙ୍କ ସମେତ ଅନ୍ୟମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ମାଛଧରାକୁ କେନ୍ଦ୍ରକରି ହତ୍ୟା ହୋଇଥିବା କୁହାଯାଉଥିଲେ ହେଁ ରାଜନୈତିକ ବିବାଦ ରହିଥିବା ମଧ୍ୟ ଶୁଣାଯାଉଛି।

ସମ୍ବନ୍ଧିତ ଖବର