ରସୁଲପୁର: କୁଆଖିଆ ଥାନା ବାରବାଟୀ ନିକଟରେ ଜାତୀୟ ରାଜପଥ-୧୬ରେ ଗତକାଲି ରାତିରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏ ଘଟଣାରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଗୋପାଳପୁରଠାରେ ଦୀର୍ଘ ୧ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥଲେ। ମୃତ ଯୁବକ ହେଲେ ପ୍ରଥମାଖଣ୍ତ ଗ୍ରାମର ଅଶୋକ ସାହୁ (୨୮)। ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ସେ ଟ୍ରାକ୍ଟର ଚଳାଇ ଘରକୁ ଫେରୁଥିଲେ। ବାରବାଟୀ ନିକଟରେ ରାସ୍ତାରେ ପଡ଼ିଥିବା ମାଟିଗଦା ଉପରେ ଟ୍ରାକ୍ଟରଟି ଚଢ଼ିଯିବାରୁ ଭାରସାମ୍ୟ ହରାଇ ସେ ନିଜେ ଟ୍ରାକ୍ଟରରୁ ତଳକୁ ଗଳିପଡ଼ିଥିଲେ।
ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଆଜି ପ୍ରଥମାଖଣ୍ତ ଗ୍ରାମବାସୀ ସକାଳ ପ୍ରାୟ ୮ଟା ୩୦ରେ ଗୋପାଳପୁରଠାରେ ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ। ମୃତ ଯୁବକର ପରିବାରକୁ କ୍ଷତିପୂରଣ ସହିତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି କରିଥିଲେ।
ଖବରପାଇ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, ଏସଡିପିଓ ଚିନ୍ମୟ ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କ ଦାବି ଅନୁସାରେ ଠିକାସଂସ୍ଥା ଡିବିଏଲ୍ର କର୍ମକର୍ତ୍ତା ମଧ୍ୟ ସେଠାରେ ପହଂଚିଥିଲେ। ରାସ୍ତା କାମ ଖୁବ୍ଶୀଘ୍ର ସାରିବାକୁ ସେମାନେ କହିଥିଲେ ମଧ୍ୟ କୌଣସି କ୍ଷତିପୂରଣ ଦେବାକୁ ରାଜି ହୋଇ ନଥିଲେ। ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଦିଆଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଶେଷରେ ଲୋକମାନେ ପ୍ରାୟ ୧ ଘଣ୍ଟା ପରେ ରାସ୍ତା ଅବରୋଧ ହଟାଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ କୌଣସି ସୂଚନା ନଥାଇ ରାସ୍ତା ବନ୍ଦ ହୋଇଥିବା କାରଣରୁ ଏହି ସ୍ଥାନରେ ଗତ ଏକ ସପ୍ତାହ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିଲେ।