ରାଉରକେଲା: ସହରର ସେକ୍ଟର-୨୦ ‘ଡି’ ବ୍ଲକ ମାର୍କେଟ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଏନ୍ଆଇଟି ପଛପାର୍ଶ୍ବ ବରଟୋଲିର ନିହାର ରଂଜନ ଆଚାର୍ଯ୍ୟ (ଟୁଟୁ ଆଚାର୍ଯ୍ୟ, ୪୫)। ଦୋକାନ ଖାଲି କରିବାକୁ କେନ୍ଦ୍ର କରି ଦୁଇ ଦୁର୍ବୃତ୍ତ ଭୁଜାଲିରେ ଟୁଟୁଙ୍କ ଗୁପ୍ତାଙ୍ଗକୁ ହାଣିବା ସହ ପଥରେ ଛେଚି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଝିରପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟୁଟୁଙ୍କ ଶବ ଜବତ କରିଛି। ଦୁଇ ଦୁର୍ବୃତ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ ଟୁଟୁ ଆଚାର୍ଯ୍ୟ ପରିବାର ସହ ବରଟୋଲିରେ ରହନ୍ତି। ତାଙ୍କ ପତ୍ନୀ ଜଗଦାସ୍ଥ ସିଡବ୍ଲ୍ୟୁସି ହସ୍ପିଟାଲରେ କାମ କରନ୍ତି। ଟୁଟୁଙ୍କ ଜଣେ ସମ୍ପର୍କୀୟଙ୍କର କୋଏଲନଗର ଏନ୍‌ଏସି ମାର୍କେଟରେ ଏକ ଦୋକାନଘର ରହିଛି। ତାକୁ ସେ କେବଲ ସିଂହ ନାମକ ଜଣେ ଯୁବକକୁ ଭଡ଼ାରେ ଦେଇଥିଲେ। କେବଲ ସେଠାରେ ଫାଷ୍ଟଫୁଡ୍‌ ଦୋକାନ ଖୋଲିଥିଲା। କିଛିମାସ ପରେ ଦୋକାନ ଖାଲି କରିବାକୁ ଟୁଟୁଙ୍କ ସଂପର୍କୀୟ (ଦୋକାନଘର ମାଲିକ) କେବଲକୁ କହିଥିଲେ। ହେଲେ ବାରମ୍ବାର କହିବା ସତ୍ତ୍ବେ ସେ ଦୋକାନ ଖାଲି କରିନଥିଲା। କିଛି ଦିନ ପୂର୍ବରୁ ଟୁଟୁ ସେଠାରେ ପହଞ୍ଚି ଦୋକାନ ଖାଲି କରିବାକୁ କେବଲକୁ ଧମକଚମକ ଦେଇଥିଲେ। ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିଟୁଣ୍ଡ ଓ ମାଡ଼ପିଟ ହୋଇଥିଲା।

Advertisment

publive-image

ଶୁକ୍ରବାର ସଂଧ୍ୟାରେ ଟୁଟୁ ମୋଟର ସାଇକଲ୍‌ରେ ସେକ୍ଟର-୨୦ ରାସ୍ତା ଦେଇ ଘରକୁ ଫେରୁଥିଲେ। ସେକ୍ଟର-୨୦ ‘ଡି’ ବ୍ଲକ୍‌ ମାଛ ମାର୍କେଟ ନିକଟରେ କେବଲ ଓ ତାଙ୍କର ଜଣେ ସହଯୋଗୀ ଟୁଟୁଙ୍କୁ ଅଟକାଇଥିଲେ। ମୋଟରସାଇକଲ୍‌ରୁ ଓହ୍ଲାଇବା ପରେ କାହିଁକି କୋଏଲନଗର ଏନ୍‌ଏସି ମାର୍କେଟ ଦୋକାନ ଖାଲି କରିବାକୁ ଧମକ ଦେଉଛୁ ବୋଲି ଟୁଟୁକୁ ପ୍ରଶ୍ନ କରିଥିଲା କେବଲ। ଯାହାକୁ ନ‌େଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କେବଲ ପକେଟରୁ ଭୁଜାଲି ବାହାରି କରି ଟୁଟୁଙ୍କ ଗୁପ୍ତାଙ୍ଗକୁ ହାଣି ଦେଇଥିଲା। ଟୁଟୁ ଘଟଣାସ୍ଥଳରେ ବେହୋସ ହୋଇ ପଡ଼ିଯିବା ପରେ କେବଲ ଓ ତା’ର ସହଯୋଗୀ ପଥରରେ ଛେଚି ତାଙ୍କୁ ହତ୍ୟା କରିଥିଲେ। ସ୍ଥାନୀୟ ଲୋକ ପହଞ୍ଚିଯିବାରୁ ଦୁହେଁ ବାଇକ୍‌ରେ ଚମ୍ପଟ ମାରିଥିଲେ। ଖବର ପାଇ ଡିଏସ୍‌ପି ଓ ଝିରପାଣି ପୁଲିସ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।