ସ୍କୁଟି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଶବ ରଖି ରାସ୍ତା ଅବରୋଧ

ମନମୁଣ୍ଡା/କଣ୍ଟାମାଲ : ଶନିବାର ରାତିରେ ମନମୁଣ୍ଡା ଥାନା ସିନ୍ଦୂରପୁର ଛକ ନିକଟରେ ଏକ ଦୁର୍ଘଟଣା ହୋଇଥିଲା। ସିମିଳିପଦର ଗ୍ରାମର କାହ୍ନୁଚରଣ କ୍ଷେତି ସ୍କୁଟି (ଓଡ଼ି-୩୧ବି-୩୧୩୮)ରେ ଯାଉଥିବା ସମୟରେ ସତ୍ୟନାରାୟଣ ବାଘଙ୍କୁ ଧକ୍କା ଦେଇଥିଲେ। ଫଳରେ ସତ୍ୟନାରାୟଣ ଗୁରତର ଆହତ ହୋଇ ସୋନପୁର ଡାକ୍ତରଖାନା ଭର୍ତ୍ତି ହୋଇଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ରବିବାର ହସ୍ତାନ୍ତର କରାଯାଇଥିଲା। କିନ୍ତୁ ପରିବାର ଲୋକ ଶବ ଧରି ସିନ୍ଦୂରପୁର ଛକଠାରେ ଦିନ ୧୨ଟା ସମୟରେ ୪୧ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଅପରାହ୍ଣ ୪ଟାରେ ମନମୁଣ୍ଡା ପୁଲିସ୍‌ ଓ କଣ୍ଟାମାଲ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ସହାୟତା ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା। ସୂଚନାଥାଉକି ଉକ୍ତ ସ୍କୁଟିର ବୀମା ନାହିଁ କିମ୍ବା ଚାଳକ କାହ୍ନୁଚରଣଙ୍କ ଲାଇସେନ୍ସ ନଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ଘଟାଇ କାହ୍ନୁଚରଣ ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର