୧୮ ବର୍ଷ ତଳ ପିତୃହତ୍ୟାର ପ୍ରତିଶୋଧ! ରାସ୍ତା ଉପରେ ଯୁବକଙ୍କୁ ହତ୍ୟା

ସମ୍ବଲପୁର : ୧୮ ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡର ପ୍ରତିଶୋଧରେ ପୁଣି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ପିତା ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସ୍ପଷ୍ଟ ଦିବାଲୋକରେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣକୁ ହତ୍ୟା କରିଛି ପୁଅ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ସହର ହାଟପଡ଼ା ଅଞ୍ଚଳରେ। ୨୦୦୨ ମସିହାରେ ଚର୍ଚ୍ଚିତ ଟିମା ବାଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ଦାନୀପାଲିର ବାବ୍‌ଲୁ ନାଏକ(୪୦)ଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛି ଟିମାର ପୁଅ ଗୋପାଳମାଲର ଦେବା ଓରଫ ଦେବାଶିଷ ବାଗ (୨୦)। ଭୁଜାଲି ମାଡ଼ ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାବ୍‌ଲୁଙ୍କୁ ଉଦ୍ଧାର କରି ଅଇଁଠାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାବ୍‌ଲୁଙ୍କ ପରିବାରର ଅଭିଯୋଗକ୍ରମେ ଟାଉନ୍‌ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବାବ୍‌ଲୁ ନିୟମିତ ଭାବେ ସିଗାରେଟ୍‌ ଟାଣିବା ପାଇଁ ହାଟପଡ଼ାକୁ ଆସୁଥିବାରୁ ଶନିବାର ସକାଳୁ ଦେବା ଓ ତାର ୨ ସହଯୋଗୀ ତାକୁ ଛକି ରହିଥିଲେ। ବାବ୍‌ଲୁ ଓ ଅନ୍ୟ ଜଣେ ପଡ଼ୋଶୀ ନାବାଳକ ହାଟପଡ଼ାସ୍ଥିତ ବେଡ଼ା ଓରଫ ସୁଶାନ୍ତ ସେଠ୍‌ର ପାନ ଦୋକାନରେ ଦିନ ପ୍ରାୟ ୧୧ଟା ୧୫ରେ ପହଞ୍ଚିଥି‌ଲେ। ବାବ୍‌ଲୁ ଦୋକାନଠାରୁ କିଛି ଦୂରକୁ ଆସି ସିଗାରେଟ୍‌ ଟାଣୁଥିବା ସମୟରେ ଦେବା ଓ ତାର ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଭାବେ ପଛପଟୁ ଭୁଜାଲିରେ ଚୋଟ ମାରିଥିଲେ। ବାବ୍‌ଲୁ ଦଉଡ଼ି ଦୋକାନ ନିକଟକୁ ଆସି ପଡ଼ି ଯାଇଥିଲେ। ଏହାପରେ ଅଭି‌ଯୁକ୍ତ ମାନେ ତାଙ୍କୁ ଗୋଡ଼ାଇ ସେଠାରେ ଆସି ମୁଣ୍ଡ ପଛପାର୍ଶ୍ବରେ ବାରମ୍ବାର ଭୁଜାଲିରେ ଚୋଟ ମାରିଥିଲେ। ଏହି ଘଟଣା ସମୟରେ ବାବ୍‌ଲୁ ସହ ଥିବା ନାବାଳକ ଜଣକ ଘଟଣାସ୍ଥଳରୁ ଖସି ଯାଇ ଦୂରରେ ଲୁଚିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଇକ୍‌ ଷ୍ଟାର୍ଟ କରି ରଖିଥିବା ସମୟରେ ଦୁଇ ଜଣ ବାବ୍‌ଲୁଙ୍କୁ ହତ୍ୟା କରି ବାଇକ୍‌ରେ ବସି ଘଟଣାସ୍ଥଳରୁ‌ ଫେରାର୍‌ ହୋଇ ଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ବାବ୍‌ଲୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ସେତେବେଳକୁ ତାଙ୍କ ମୁତ୍ୟୁ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର