ବରପାଲି: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି।
ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ  ଛ‌ାଡ଼ି ଚାଲିଯାଇଥି‌ଲେ। ପରେ ବରପାଲି ଥାନା ପୁଲିସ ଖବର ପାଇ ବଳିଟିକ୍ରା ନିକଟରୁ ଗୁରୁତର ଅବସ୍ଥାରେ ଯୋଗେଶ୍ୱରଙ୍କୁ ବରପାଲି ସରକାରୀ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି।

Advertisment

ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ମାସ ୨୭ ତାରିଖ ଦିନ ବଳି ଟିକ୍ରାର ରାଜେନ୍ଦ୍ର ଭୋଇଙ୍କ ପ୍ୟାସନ ପ୍ରୋ ବାଇକ ଚୋରି ନେଇ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯୋଗେଶ୍ୱରଙ୍କର ସଂପୃକ୍ତି ଥିବା ସନ୍ଦେହ କରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ବରପାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଏକ ମାମଲା (କେସ ନମ୍ବର ୩୬୦/୨୨) ଦଫା ୩୦୨/୩୪) ରୁଜୁ କରି ୭ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି। ବରପାଲି ଆଇ ଆଇ ସି ରୋଜାଲିନ ପଟେଲ ଘଟଣାର ତଦନ୍ତ କରୁଛନ୍ତି।