ମାଛ ଚୋରି ସନ୍ଦେହରେ ଯୁବକଙ୍କୁ ହତ୍ୟା

ବେତନଟୀ : ମାଛ ଚୋରି ସନ୍ଦେହ‌ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଶୋଳ ଗାଁର ଲୋଧା ସଂପ୍ରଦାୟର ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ପ୍ରମାଣ ଲୁଚାଇବା ଲାଗି ମୃତଦେହକୁ ଏକ ମଶାରିରେ ବାନ୍ଧି ପୋଖରୀ ଭିତରେ ପୋତି ଦିଆଯାଇଥିଲା। ଆଜି କିଛି ଗ୍ରାମବାସୀ ଗାଧୋଇବା ବେଳେ ମୃତଦେହ ଗୋଡ଼ରେ ବାଜିଥିଲା। ଖବର ପାଇ ପୁଲିସ ଛାନ୍‌ଭିନ୍‌ କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଛି।

ମୃତକ ହେଲେ ଧାନଶୋଳ ଗ୍ରାମର ଗିରିଶ ଭକ୍ତାଙ୍କ ପୁଅ ସନ୍ତୋଷ ଭୁକ୍ତା (୨୫)। ଗତକାଲି ସେ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଏକ ମଶାରି ଧୋଇବା ପାଇଁ ଆସିଥିଲେ। ତାଙ୍କ ସହ ଗାଁର କିଛି ଛୋଟ ଛୋଟ ପିଲା ବି ଥିଲେ। ତେବେ ସେମାନେ ମଶାରି ଦ୍ବାରା ଚୁନାମାଛ ଧରୁଥିବା ସନ୍ଦେହ କରି ସେମାନଙ୍କୁ ଗାଳିଗୁଲଜ କରି ଘଉଡ଼ାଇ ଦେଇଥିଲେ ପୋଖରୀ ଲିଜ୍‌ ନେଇଥିବା ଗ୍ରାମର ଗିରିଧାରୀ ସିଂ (୫୫) ଓ କୁନୁ ସିଂ (୩୨)। ଗିରିଧାରୀ ଓ କୁନୁ ପଳାଇଥିବେ ଭାବି କିଛି ସମୟ ପରେ ମଶାରି ଧୋଇବାକୁ ପୁଣିଥରେ ପୋଖରୀକୁ ଆସିଥିଲେ ସନ୍ତୋଷ। ତେବେ ଦୁର୍ଭାଗ୍ୟକୁ ଲିଜ୍‌ଧାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେ ମାଛ ଚୋରି କରିବାକୁ ଆସିଥିବା କହି ଗିରିଧାରୀ ଓ କୁନୁ ତାଙ୍କୁ ଏକ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା। ପରେ ଏହାକୁ ଅପମୃତ୍ୟୁର ରୂପ ଦେବାକୁ ଯାଇ ସନ୍ତୋଷଙ୍କ ମୃତଦେହକୁ ସେ ଆଣିଥିବା ମଶାରିରେ ଗୁଡ଼ାଇ ପୋଖରୀ ପଙ୍କରେ ପୋତି ଦେଇଥିଲେ ଅଭିଯୁକ୍ତ।

ଅନ୍ୟପଟେ ସନ୍ତୋଷ ଗତକାଲି ଘରକୁ ନଫେରିବାରୁ ବାପା ଗିରିଶ, ପତ୍ନୀ ସବିତା ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଗାଁ ଲୋକେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣଙ୍କ ଗୋଡରେ ବାଜିଥିଲା ମଶାରି। ମଶାରିକୁ ଟାଣିବାରୁ ସନ୍ତୋଷଙ୍କ ମୃତଦେହ ପାଣିରୁ ବାହାରିଥିଲା। ମୃତକଙ୍କ ପିତା ଗିରିଶ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୧୦୬/୨୦୨୧ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗିରିଧାରୀ ଓ କୁନୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର