ସୋନପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସୁବଳୟା (ଧିବରପଡ଼ା)ର ଯୁବକ ଡମ୍ବରୁ ଅଧିକାରୀ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ପ୍ରତାରଣା ପାଇଁ ପ୍ରେମିକା ସୁପାରି ଦେଇ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଏହି ଘଟଣାରେ ପ୍ରେମିକା ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାଘଧରି ଗାଁର ଝିଲି ଓରଫ କାଜଲ ମହାପାତ୍ର (୨୩), ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ବଡ଼ଖମାର ଗ୍ରାମର ରାଜୀବ କୁମ୍ଭାର(୪୦), ବୀରମହାରାଜପୁର ଥାନା ବାଗବର ଗ୍ରାମର ରିତ ନାଏକ (୨୯)ଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସ୍‌ପି ୟଶପ୍ରତାପ ଶ୍ରୀମାଲ୍ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଅଭିଯୁକ୍ତ ଝିଲି ଏକ ବ୍ୟାଣ୍ଡପାର୍ଟିରେ ନୃତ୍ୟଙ୍ଗନା ଭାବେ କାର୍ଯ୍ୟ କରନ୍ତି। ଗତ ୫ ବର୍ଷ ହେଲା ଡମ୍ବରୁଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ଡମ୍ବରୁ ରାଉରକେଲା ଅଞ୍ଚଳର ଅନ୍ୟଜଣେ ଯୁବତୀ ସହ ପୁଣି ପ୍ରେମ ସମ୍ପର୍କ ସ୍ଥାପନ କରୁଥିଲେ। ଏହା ଜାଣିପାରି ଝିଲି ତାଙ୍କୁ ହତ୍ୟା କରିବା ପାଇଁ ରିତ ଏବଂ ରାଜୀବ ସହ ମିଶି ଷଡ଼୍‌ଯନ୍ତ୍ର ରଚିଥିଲେ। ଡମ୍ବରୁଙ୍କୁ ହତ୍ୟା ପାଇଁ ଝିଲି ୪୦ ହଜାର ଟଙ୍କା ଦେବାକୁ ରାଜୀବ ଓ ରିତ ସହ ଡିଲ୍‌ କରିଥିଲେ। ଏଥିରେ ରାଜୀବ ଓ ରିତ ରାଜି ହେବାରୁ ଝିଲି ଗତ ଜାନୁଆରି ୬ ତାରିଖ ଦିନ ଫୋନ୍‌ପେ ମାଧ୍ୟମରେ ରାଜୀବଙ୍କୁ ଅଗ୍ରିମ ୧୦ ହଜାର ଟଙ୍କା ଦେଇଥିଲେ।

publive-image

ଯୋଜନା ମୁତାବକ ଗତ ଜାନୁଆରି ୨୫ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ରାଜୀବ ଏକ ଭୋଜି କରିବା ପାଇଁ ଡମ୍ବରଙ୍କୁ କହିଥିଲେ। ଏହାପରେ ଡମ୍ବରୁ ରାତି ପ୍ରାୟ ସାଢ଼େ ୭ଟାରେ ତାଙ୍କ ଚା’ ଦୋକାନ ବନ୍ଦ କରି ଗୋଟିଏ ସ୍କୁଟି‌ରେ ସୁବଳୟାର ଏକ ବିଦେଶୀ ମଦ ଦୋକାନକୁ ଯାଇ ସେଠାରୁ ଗୋଟିଏ ବିଦେଶୀ ମଦ, ଗୋଟିଏ ବିଅର, ଗୋଟିଏ ପାଣି ବୋତଲ କିଣିଥିଲେ। ସେହିପରି ଅନ୍ୟ ଏକ ଦୋକାନରୁ ରନ୍ଧା କୁକୁଡ଼ା ମାଂସ କିଣିଥିଲେ। ଏହି ସୟରେ ଅଭିଯୁକ୍ତ ରାଜୀବ ଏବଂ ରିତ ଏକ ବାଇକ୍‌ରେ ସୁବଳୟା ଆସି ଡମ୍ବରୁଙ୍କୁ ଭେଟିଥିଲେ। ଏହାପରେ ତିନି ଜଣ ଯାକ ସାଲେପଦର ରୁଗୁଡ଼ିବନ୍ଧକୁ ଯାଇଥିଲେ। ସେଠାରେ ତିନି ଜଣ ଯାକ ମିଶି ମଦ ମାଂସ ଖାଇଥିଲେ। ଏହି ସମୟରେ ଅଭିଯୁକ୍ତ ରିତ ଏକ ଟାଙ୍ଗିଆରେ ଡମ୍ବରୁଙ୍କ ମୁଣ୍ଡରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ରାଜୀବ ଏବଂ ରିତ ଶବକୁ ଏକ ଗାତରେ ପକାଇ ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ଏ ସମ୍ପର୍କରେ ମୃତ ଡମ୍ବରୁଙ୍କ ବାପା ସୁରେଶ ସୁବଳୟା ଥାନାରେ ଲିଖିତ ଅଭିଯୋଗ କଲା ପରେ ଥାନା କେସ୍‌ ନଂ ୧୯/୨୬.୧.୨୦୨୪‌ରେ ଏକ ହତ୍ୟା ମାମଲା ରୁଜ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରିଛି। ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ହେମନ୍ତ ପାଢ଼ୀ, ବୀରମହାରାଜପୁର ଏସ୍‌ଡିପିଓ ବାସୁଦେବ ଛତ୍ରିଆ ଓ ସୁବଳୟା ଆଇଆଇସି ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।