ରାଉରକେଲା: ଟ୍ରେନ୍‌ରୁ ଗଳି ପଡ଼ି ଗୋଡ଼ କଟିଗଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିଲେ ଯୁବକ। ଉଦ୍ଧାର କରିବାକୁ ଖନେଇ ଖନେଇ ଅନୁରୋଧ କରୁଥିଲେ। ପିଇବାକୁ ପାଣି ମାଗୁଥିଲେ। କିନ୍ତୁ ତାଙ୍କୁ ଚାରି ପାଖରେ ଘେରି ସେଲ୍‌ଫି ନେବାରେ ବ୍ୟସ୍ତ ଥିଲେ ଯାତ୍ରୀମାନେ। ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ବଦଳରେ ସେଲ୍‌ଫି, ଭିଡିଓ ଉତ୍ତୋଳନ କରିବାରେ ମସଗୁଲ ରହିଥିଲେ। ଶେଷରେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ଆର୍‌ପିଏଫ୍‌ ଯବାନ ଗୁରୁତରଙ୍କୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ହସ୍ପିଟାଲକୁ ନେଇଥିଲେ। ସହରରେ ସଂଘଟିତ ଏହି ଘଟଣା ଯାତ୍ରୀମାନଙ୍କୁ ମାନବପଣିଆ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

publive-image

ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ। ହାୱଡା-ମୁମ୍ବାଇ ମୁଖ୍ୟ ରେଳପଥରେ ଥିବା ବନ୍ଧମୁଣ୍ଡା କୁକୁଡ଼ା ରେଳ ଫାଟକ ନିକଟରେ ବିମଳାଗଡ଼ ଠେଲାକୁଦର ଗ୍ରାମର ସୋମା ମୁଣ୍ଡା (୩୫) ନାମକ ଜଣେ ଯାତ୍ରୀ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ତାଙ୍କର ଗୋଟିଏ ଗୋଡ଼ ସଂପୂର୍ଣ୍ଣଭାବେ କଟିଯାଇଥିଲା। ସେ ଯଶବନ୍ତପୁର-ହାଟିଆ ଟ୍ରେନରେ ହାଟିଆକୁ ଯାଉଥିଲେ। ଟ୍ରେନଟି ଅତିକ୍ରମ କଲା ପରେ ଧାରଣାରେ ପଡ଼ିଥିବା ସୋମାଙ୍କୁ ଉଠାଇବାକୁ କିନ୍ତୁ ଜଣେ ବି ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇନଥିଲେ। ଓଲଟା ଏହି ଦୃଶ୍ୟର ଫଟୋ ଏବଂ ଭିଡିଓ ତିଆରି କରିବାରେ ବ୍ୟସ୍ତ ରହିଥିଲେ। ଅନତି ଦୂରରେ ଥିବା ଜଣେ ଆରପିଏଫ୍ କର୍ମଚାରୀ ଭିଡ଼କୁ ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଦୁର୍ଘଟଣା ବିଷୟରେ ଜାଣିବାପରେ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଆହତଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଲୱେ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସଂପ୍ରତି ସେ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେଲ୍‌ଫି, ଫଟୋ ଉତ୍ତୋଳନ କରିବା ଘଟଣା; ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।