ଯାଜପୁରଟାଉନ/ସଦର : ସ୍ବଧାର ଗୃହରେ ରହିଥିବା ଜଣେ ଅନାଥ ଝିଅକୁ ଆପଣାଇ ନେଇଛନ୍ତି ଜଣେ ଯୁବକ। ଏହାପରେ ଯେଉଁ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା, ସେଥିରେ ସ୍ବଧାରଗୃହର ସଦସ୍ୟଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସାମିଲ୍‌ ହୋଇଛନ୍ତି। ଯାଜପୁର ସହରର ବାହାବଳପୁରଠାରେ ଥିବା ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନରେ ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ଚଣ୍ଡିଖୋଲ ଅଞ୍ଚଳରୁ ଜଣେ ଯୁବତୀ ପୂଜାରାଣୀ ଏହି ଅନୁଷ୍ଠାନରେ ୨୦୧୮ରୁ ରହି ଆସୁଥିଲେ। ଯାଜପୁର ସୁନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝା (୩୨) ପୂଜାଙ୍କୁ ଦେଖି ପସନ୍ଦ କରିଥିଲେ। ବିଜୟ ଜଣେ ଇଣ୍ଟେରିଅର୍ ଡେକୋରେଟର। ସେ ଏହି ସ୍ବଧାର ଗୃହରେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ସ୍ବଧାର ଗୃହ ପକ୍ଷରୁ ବିଜୟଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଶେଷରେ ଅଗ୍ନିକୁ ସାକ୍ଷୀ ରଖି ବିଜୟ ପୂଜାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରି ନିଜ ଘରକୁ ବୋହୂକରି ନେଇଛନ୍ତି।

ଏହି ବିବାହ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଡିଏସଡବ୍ଲୁ, ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ କମିଟି, ସଖୀ ଆଦି ଅନୁଷ୍ଠାନର କର୍ମକର୍ତ୍ତାମାନେ ସାମିଲ ହୋଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ବିବାହ ଉତ୍ସବ ପାଇଁ ଅନୁଷ୍ଠାନର ଅଧୀକ୍ଷକ ସଂଯୁକ୍ତା ଦାସ ସମସ୍ତ ଆୟୋଜନ କରିଥିବା ବେଳେ ଅନୁଷ୍ଠାନର ନିର୍ଦେଶକ ସିତାଂଶୁ ପତି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।