ମନ୍ଦିର ଭଳି ମାନ୍ୟତା ପାଉଛି ବୁର୍ଲା ଡାକ୍ତରଙ୍କ ଏହି ଟଙ୍କିକିଆ କ୍ଲିନିକ୍‌

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ରହିଛି ଏକ ଟଙ୍କିକିଆ କ୍ଲିନିକ୍‌। ଏହି କ୍ଲିନିକ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଛି। ବୁର୍ଲା ବଡ଼ମେଡିକାଲର ଡା. ଶଙ୍କର ରାମଚନ୍ଦାନୀଙ୍କ ଦ୍ବାରା ପରିଚାଳିତ ଏହି କ୍ଲିନିକ୍‌କୁ ଦେଶ-ବିଦେଶରେ ପ୍ରଶଂସା କରାଯାଉଛି। ମାତ୍ର ୧ ଟଙ୍କାରେ ବହୁମୂଲ୍ୟ ମେଡିକାଲ ଚିକିତ୍ସା, ପରାମର୍ଶ ଓ ସେବା ମିଳିପାରୁଥିବାରୁ ‌ଅନେକ ଲୋକ ଏହି ଟଙ୍କିକିଆ କ୍ଲିନିକ୍‌କୁ ମନ୍ଦିର ମନେ କରନ୍ତି। ମନ୍ଦିରରେ ଯେଭଳି ଭଗବାନଙ୍କୁ ଉପାସନା କରାଯାଇଥାଏ, ସେହିଭଳି ଏହି କ୍ଲିନିକ୍‌କୁ ମନ୍ଦିର ମନେ କରନ୍ତି ବୁର୍ଲାର ଅଟାଚକିପଡ଼ା ନିବାସୀ ମନୋଜ ମହାନନ୍ଦ। ୨୭ ବର୍ଷୀୟ ଯୁବକ ଶ୍ରୀ ମହାନନ୍ଦଙ୍କ ପାଇଁ କେବଳ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଏହି ଟଙ୍କିକିଆ କ୍ଲିନିକ ମନ୍ଦିର ଭଳିଆ ମାନ୍ୟତା ପାଉଛି।

ମନୋଜଙ୍କ କହିବା ଅନୁସାରେ ଗରିବ ଲୋକଙ୍କୁ ଡା ରାମଚନ୍ଦାନୀ ସେବା ଓ ସହଯୋଗ କରିଆସୁଛନ୍ତି। ଏଭଳି ଏକ ଜନକଲ୍ୟାଣକାରୀ କ୍ଲିନିକ ଲୋକଙ୍କ କାମରେ ଆସୁଛି। ପ୍ରାୟ ୮ ମାସ ହେବ ମୁଁ କ୍ଲିନିକକୁ ଯାଉଛି। କ୍ଲିନିକ୍‌ ଆଗରେ ମୁଣ୍ଡିଆ ମାରି ଆସୁଛି। ହାତରେ ସମୟ ‌ଥିଲେ ସେଠାରେ କିଛି ସମୟ ଶାନ୍ତିରେ ବସୁଛି। ଗରିବ ଲୋକମାନେ ଟଙ୍କା ଖର୍ଚ୍ଚ କରି ଭଲ ଚକିତ୍ସା ପାଇପାରୁ ନାହାନ୍ତି। ତେଣୁ ଟଙ୍କିକିଆ କ୍ଲିନକ ବଳରେ ସେମାନେ ଅନେକ ରୋଗର ସାମ୍ନା କରୁଥିଲେ ବି ଡାକ୍ତର ରାମଚନ୍ଦାନୀଙ୍କ ପରାମର୍ଶ ବଳରେ ଭଲ ‌ହୋଇପାରୁଛନ୍ତି। ଲୋକଙ୍କ ଠାରୁ ଶୁଣି ପ୍ରାୟ ୨ ବର୍ଷରୁ ଜଣେ ସଂପର୍କୀୟ ମାଉସୀଙ୍କୁ ନେଇ ବୁର୍ଲା ଡାକ୍ତରଖାନା ଯାଇଥିଲି। ସେଠାରେ ଡାକ୍ତର ରାମଚନ୍ଦାନୀଙ୍କ ସହିତ ଦେଖା ହୋଇଥିଲା। ମାଉସୀଙ୍କୁ ଭଲ ଚିକିତ୍ସା ମିଳିଥିଲା। ଏହାର ୧ ବର୍ଷ ପରେ ଏହି କ୍ଲିନିକ ଆରମ୍ଭ ହୋଇଥିଲା। ପୂର୍ବରୁ ଡାକ୍ତରଙ୍କ ସହିତ ପରିଚିତ ଥିବାରୁ ମୋ ମନକୁ ଏହି ଟଙ୍କିକିଆ କ୍ଲିନିକ୍‌ ବେଶ ପ୍ରଭାବିତ କରିଥିଲା।

ରକ୍ତଚାପ, ମଧୁମେହ, ଥାଏରଏଡ୍‌, ବାତ, ଜ୍ୱର, କାଶ, ଥଣ୍ଡା  ଆଦି ରୋଗର ଜରୁରୀ ଔଷଧ ସହ ଏହି ସେବା କେନ୍ଦ୍ରରେ ମିଳିପାରୁଛି। ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ଆହୁରି ଅନ୍ୟାନ୍ୟ ‌ଜରୁରୀ ଔଷଧ ଗୁଡ଼ିକ ରଖିବାକୁ ପ୍ରୟାସ କରିବେ ବୋଲି ଡା ରାମଚନ୍ଦାନୀ କୁହନ୍ତି।

ଆଜିର ଦିନରେ ଏକ ଟଙ୍କାରେ କୌଣସି କାମ କରି ହେଉନାହିଁ। କିନ୍ତୁ ସେବା ମନୋଭାବ ନେଇ ଡାକ୍ତର ୧ ଟଙ୍କାରେ ରୋଗୀଙ୍କୁ ପରାମର୍ଶ, ସେବ ଓ ଔଷଧ ଦେଉଛନ୍ତି। ଡାକ୍ତରଙ୍କ ଏହି ସେବା ଯୋଗୁଁ ଗରିବ, ଅସହାୟଙ୍କ ସମେତ ହଜାର ହଜାର ଲୋକ ଉପକୃତ ହେଉଛନ୍ତି। ଆମେ ଯେତେବେଳେ ଅସୁବିଧାରେ ପଡୁ ଅଥବା ମାନସିକ ଶାନ୍ତି ପାଇଁ ମନ୍ଦିରକୁ ଯାଇଥାଉ। ସେହିପରି ଯେତ‌େବେଳେ ‌ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥାଏ, ସେହି ସମୟରେ ଡାକ୍ତରଖାନାର ଆଶ୍ରୟ ନେଇଥାଉ ଏବଂ ଡାକ୍ତରଙ୍କ ଉପରେ ଭରସା ରଖିଥାଉ। ଡା. ରାମଚନ୍ଦାନୀଙ୍କ ପରାମର୍ଶ, ସେବା ଓ ରୋଗୀଙ୍କୁ ଭଲ ପାଇବା ଯୋଗୁଁ ତାଙ୍କର କ୍ଲିନିକ୍‌କୁ ମୋତେ ମନ୍ଦିର ଭଳି ଲାଗିଥାଏ। ତେଣୁ ପ୍ରତ୍ୟେକ ଦିନ ସମୟ ବାହାର କରି କ୍ଲିନିକ୍‌କୁ ଆସି ମୁଣ୍ଡିଆ ମାରିଥାଏ।

ସୂଚନାଯୋଗ୍ୟ, ୨୦୨୧ ଫେବ୍ରୁଆରି ୧୨ ତାରିଖରେ ଡା. ରାମଚନ୍ଦାନୀ ବୁର୍ଲାସ୍ଥିତ ନିଜ ଭଡ଼ାଘର ପାର୍ଶ୍ବ ଗୋଦାମର ଏକ ଛୋଟିଆ କ୍ୟାବିନ୍‌ରେ ଗରିବ ରୋଗୀମାନଙ୍କ ପାଇଁ ଆରମ୍ଭ କରିଥିବା ଟଙ୍କିକିଆ କ୍ଲିନିକ୍ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। କରୋନା ମହାମାରୀ ସମୟରେ ବହୁ ଡାକ୍ତର ରୋଗୀଙ୍କୁ ପାଖକୁ ପୂରାଉ ନଥିଲ‌ା ବେଳେ ଡା. ରାମଚନ୍ଦାନୀ ମାତ୍ର ୧ ଟଙ୍କା ଫି’ ନେଇ ଗରିବ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ବୁର୍ଲା ଜୁନାପାଣି କୁଷ୍ଠ କଲୋନିରୁ ରୋଗୀମାନେ ଆସିବା ପାଇଁ ଏକ ଅଟୋ ରିକ୍ସାର ମଧ୍ୟ ବ୍ୟବସ୍ଥା କରିଥିଲେ। କ୍ରମେ ଡା. ରାମଚନ୍ଦାନୀଙ୍କ ଏହି କ୍ଲିନିକ୍‌ର ଆଦୃତି ବଢ଼ିଲା ଓ ଦେଶବିଦେଶରେ ସେ ପ୍ରଶଂସିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ଏହି କ୍ଲିନିକ୍‌ରେ ୭ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କୁ ଦେଖି ସାରିଛନ୍ତି‌ ଯେଉଁଥିରେ ପ୍ରାୟ ୩ ହଜାର ମହିଳା ରୋଗୀ ଅଛନ୍ତି। ପରବର୍ତ୍ତୀ ସମୟରେ ଡା. ରାମଚନ୍ଦାନୀ ନିଜ ଜନ୍ମସ୍ଥାନ ବରଗଡ଼ ଜିଲ୍ଲାର ପଦ୍ମପୁରରେ ମଧ୍ୟ ୧ ଟଙ୍କିଆ କ୍ଲିନିକ୍ ଖୋଲିଥିଲେ ଯେଉଁଠି ସେ ମାସକୁ ଥରେ ବା ଦୁଇଥର ରୋଗୀଙ୍କୁ ଦେଖୁଛନ୍ତି।

 

 

ସମ୍ବନ୍ଧିତ ଖବର