ଅନୁଗୁଳ: ସାପ କାମୁଡ଼ା ଜାଗାରେ ବନ୍ଧା ହୋଇଥିଲା ଗାମୁଛା। ଆଉ ଗୋଟିଏ ହାତରେ ନାଗ ସାପ। ଏଭଳି ଅବସ୍ଥାରେ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜଣେ ଯୁବକ। ଯୁବକ ଜଣକ ନାଗକୁ ଧରି ଆସିଥିବା ବେଳେ ଡାକ୍ତରଖାନା କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ମୁତାବକ, ଛେଣ୍ଡିପଦା ନିଶା ଥାନା କାଳିଆକଟା ଅଞ୍ଚଳର ବଳଭଦ୍ର ଭୋଇଙ୍କ ପୁଅ ବୁବୁଲ ଭୋଇ(୨୫)ଙ୍କୁ ଆଜି ଅପରାହ୍ଣରେ ଏକ ନାଗ ସାପ କାମୁଡ଼ି ଦେଇଥିଲା। ୪ ଫୁଟ୍ ଲମ୍ବର ନାଗ ସାପଟି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା।
ବବୁଲ୍ ସାପଟିକୁ ଧରିବାକୁ ଚେଷ୍ଟା କରିବା ବେଳେ ଡାହାଣ ହାତକୁ ଚୋଟ ପକାଇଥିଲା। ବିଷଧର ନାଗ କାମୁଡ଼ିବା ପରେ ଚିକିତ୍ସା ଜରୁରି ହୋଇପଡ଼ିଥିବା ବେଳେ ସାପ ଧରି ସେ ଭିଡିଓ କରିଥିଲେ। ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ପହଞ୍ଚିଥିଲେ। ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପାଇଁ କୁହାଯାଇଥିଲା। କାମୁଡ଼ିଥିବା ନାଗକୁ ନେଇ ବବୁଲ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସାପକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଥିଲେ। ସେପଟେ ଖବରପାଇ ସର୍ପମିତ୍ର ଆଦିତ୍ୟ ବେହେରା ଡାକ୍ତରଖାନାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବବୁଲଙ୍କ ଚିକିତ୍ସା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/27/sfsfsfccxxc-2025-07-27-01-39-31.jpg)