ଜୟପୁର: ସହରର ସାମଗ୍ରୀକ ବିକାଶ ପାଇଁ ଜୟପୁର ସହରର ଯୁବ ବର୍ଗ ଅଣ୍ଟା ଭିଡିଛନ୍ତି। ସ୍ଥାନୀୟ ଶୀତଳାମ୍ମା ମନ୍ଦିର ପରିସରରେ ଏ ନେଇ ଶତାଧିକ ଯୁବକ ଏକଜୁଟ ହୋଇଥିଲେ। ସାଧାରଣ ଲୋକେ ସାମାନ୍ୟ ଅଭାବ ଓ ଅସୁବିଧା ପଡ଼ିବା ସମୟରେ ଏହି ଯୁବ ଗୋଷ୍ଠୀ ସହଯୋଗର ହାତ ବଢ଼ାଇବା, କୌଣସି ରୋଗୀଙ୍କୁ ରକ୍ତର ଅଭାବ ହେଲେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ସହ ସହଯୋଗ କରିବା, ସହରର ବିକାଶରେ ବାଧକ ସୃଷ୍ଟି ହେଲେ ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବା, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ, ଜଗନ୍ନାଥ ସାଗରର ପୁନଃରୁଦ୍ଧାର, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ଅଭାବ ଆଦି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ନେଇ ଆଲୋଚନା ହୋଇଥିଲା।

Advertisment

ଦଳମତ ନିର୍ବିଶେଷରେ କୌଣସି ରାଜନୈତିକ ଦଳର ଚାପରେ ନଆସି ଯୁବବର୍ଗ ଏକଜୁଟ୍ ହୋଇ ସହରର ବିକାଶ ସହ ଆଗାମୀ ପିଢ଼ୀକୁ ଦିଗଦର୍ଶନ ଦେବା, ବିଭିନ୍ନ ସରକାରୀ ଯୋଜନାକୁ ସଠିକ ଭାବେ ସହରରେ କାର୍ଯ୍ୟକାରୀ କରାଇବା ଦିଗରେ ପ୍ରମୁଖ ଭୁମିକା ନେବାକୁ ନିଷ୍ପତ୍ତି ନେଇଥିଲେ। ଶତାଧିକ ଯୁବକ ଏକଜୁଟ ହୋଇ ରହିଲେ ସହରର ବିକାଶ ହୋଇ ପାରିବ ବୋଲି ଯୁବକମାନେ ମତ ଦେଇଥିଲେ। ପ୍ରଥମ କରି ଏତେ ସଂଖ୍ୟକ ଯୁବକ ସହରର ସାମଗ୍ରୀକ ବିକାଶ ପାଇଁ ଏକଜୁଟ୍ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଏମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଗାମୀ ଦିନରେ ସଫଳ ହେଉ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।