ଭାଲୁ ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ଯୁବକ

କାଳିଆପାଣି : ସୁକିନ୍ଦା ରେଞ୍ଜ୍ ରାଁସୋଳ ଫରେଷ୍ଟ୍ ସେକ୍ସନ ଅନ୍ତର୍ଗତ ନଗଡ଼ା ଜଙ୍ଗଲରେ ଗତକାଲି ଏକ ବଣୁଆ ଭାଲୁ ଆକ୍ରମଣରେ ଗୁହିଆଶାଳ ଗାଁର ମାଳୁକୁ ଓରଫ୍‌ ମାଡ଼ୁକୁ ପ୍ରଧାନ(୨୫) ଗୁରୁତର ଆହତ ହୋଇଛନ୍ତି। ଗତକାଲି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପ‌ରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

ଗତକାଲି ଗାଁ ପାଖ ଜଙ୍ଗଲରୁ ସେ କାଠ ସଂଗ୍ରହ କରୁଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କ ମୁହଁ ଓ ଆଖିରେ ଗୁରୁତର ଆଘାତ ଲାଗିଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଯେ, ଜଙ୍ଗଲ ନିଆଁ ଦାଉରୁ ଅତିଷ୍ଠ ହୋଇ ରହିଥିବା ଏକ ପୂର୍ଣ୍ଣ ବୟସ୍କ ଭାଲୁ ମାଳୁକୁଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଜଙ୍ଗଲରେ ଏକୁଟିଆ ଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇ ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଥିଲେ। ରାଁସୋଳ ବନପାଳ ନରେଶ କୁମାର ଟୁଡ଼ୁ ଆଜି ଫୋନ ଯୋଗେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବା ସହ ସରକାରୀ ନିୟମାନୁଯାୟୀ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ବନପାଳ ଶ୍ରୀ ଟୁଡ଼ୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର