ଅକାତକାତ ପାଣି ସାଙ୍ଗକୁ ରାତିର ଅନ୍ଧାରରେ ଭରାନଦୀରେ ବୁଡ଼ିଯାଉଥିବା ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଯୁବକ

ଯାଜପୁରସଦର :  ଅକାତକାତ ପାଣି ସାଙ୍ଗକୁ ଅନ୍ଧାର ଓ ଘନକୁହୁଡ଼ି ରାତି। ନଦୀ ଭିତରୁ ବଞ୍ଚାଇବାର ସ୍ୱର ଶୁଣି ଅପରପାର୍ଶ୍ବରୁ ନାଉରି ଭଙ୍ଗା ହୁଲି ଡଙ୍ଗା ଧରି ଦେବଦୂତ ପରି ମାଡ଼ିଯାଇଥିଲେ। ନଦୀ ସୁଅରେ ବୁଡ଼ିଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲେ। ନୂଆ ଜୀବନ ପାଇବା ପରେ ବୃଦ୍ଧାଜଣକ ଡଙ୍ଗା ଚାଳକଙ୍କୁ ନିଜର ପୁଅ ବୋଲି ମାନିନେଇଛନ୍ତି। ଯାଜପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତ ବରହମପୁର ନିକଟରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଉଦ୍ଧାର ପାଇଥିବା ବୃଦ୍ଧା ହେଲେ ରୂପଲତା ବିଶ୍ବାଳ (୭୦)। ସନ୍ଧ୍ୟାରେ ସେ ତାଙ୍କ ଘର ପାଖରେ ଲାଗିଥିବା ଖରସ୍ରୋତା ନଦୀ ପାଖକୁ ଯାଇଥିଲେ। କିଛି ଜାଣିବା ପୂର୍ବରୁ ନଦୀର ପ୍ରଖର ସ୍ରୋତ ତାଙ୍କୁ ଟାଣି ନେଇଥିଲା। ବୁଡ଼ିଯିବା ସମୟରେ ସେ ପାଟି କରିଥିଲେ। ବଞ୍ଚାଇବାକୁ ଡାକ ଛାଡ଼ିଥିଲେ। ବେରୁଦା ପଞ୍ଚାୟତ ଜହଳ ଗ୍ରାମର ଦୁର୍ଯ୍ୟୋଧନ ମାଝୀ(୪୩) ଏହି ପାଟି ଶୁଣି ନିଜର ଭଙ୍ଗା ହୁଲି ଡଙ୍ଗାକୁ ଧରି ଅନ୍ଧାର ଭିତରେ କ୍ଷିପ୍ର ବେଗରେ ପାଣି ଭିତରକୁ ମାଡ଼ିଯାଇଥିଲେ। ଅନ୍ଧାର ରାତିରେ ବହୁ କଷ୍ଟରେ କେବଳ ଶବ୍ଦ ବାରି କାତ ବୁଲାଇ ନିଜର ଉପସ୍ଥିତ ବୁଦ୍ଧି ବଳରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଯ୍ୟୋଧନଙ୍କ ଏପରି କାର୍ଯ୍ୟ ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି। ନିକଟରେ ଚର୍ଚ୍ଚାକୁ ଆସିଥିବା ୟୁଟ୍ୟୁବର ମୋନାଲିସା ଭଦ୍ର ଏହି ସାହସିକତା ତଥା ପରୋପକାର ପାଇଁ ଦୁର୍ଯ୍ୟୋଧନଙ୍କୁ ଡଙ୍ଗା ମରାମତି ନିମନ୍ତେ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଅନ୍ୟପଟେ ଜୀବନ ବଞ୍ଚାଇଥିବା ନାଉରିଙ୍କୁ ବୃଦ୍ଧା ରୂପଲତା ମିଠା ଖୁଆଇ ନିଜର ପୁଅ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର