ନାବାଳିକାଙ୍କୁ ବ୍ଲାକମେଲ୍‌ : ଯୁବକକୁ ୭ ବର୍ଷ ଜେଲ

ରାଉରକେଲା: ନାବାଳିକାଙ୍କ ଅଶ୍ଳିଳ ଫଟୋ ଉଠାଇ ବ୍ଲାକ୍‌ମେଲ୍‌ ମାମଲାର ଆଜି ରାୟ ପ୍ରକାଶ ପାଇଛି। ପକ୍‌ସୋ କୋର୍ଟର ବିଚାରପତି ମହେନ୍ଦ୍ର କୁମାର ସୁତ୍ରଧର ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ୭ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୯ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାର୍ଶ୍ବିକ ସ୍ଥିତିକୁ ବିଚାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବନ୍ଧମୁଣ୍ଡା ବି ସେକ୍ଟରର ଡୋକାରି କାର୍ତ୍ତିକ। ଅଭିଯୁକ୍ତ ଡୋକାରି ରାଉରକେଲା ଉଦିତନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ କରିଥିଲେ। ବିଭିନ୍ନ ଆଳ ଦେଖାଇ ନାବାଳିକାଙ୍କୁ ଅନେକ ସ୍ଥାନକୁ ଡାକି ନେଉଥିଲେ। ସେଠାରେ ତାଙ୍କ ଅଶ୍ଳିଳ ଫଟୋ ଉଠାଇବା ସହ ନିଜ ମୋବାଇଲରେ ରେକର୍ଡିଂ କରୁଥିଲେ। ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ଟଙ୍କା ମାଗୁଥିଲେ। ନାବାଳିକା ଦାବି ମୁତାବକ ଟଙ୍କା ନ ଦେବାରୁ ଅଭିଯୁକ୍ତ ଡୋକାରି ଅଶ୍ଳିଳ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଛାଡିଦେବାକୁ ଧମକ ଦେଉଥିଲେ। ନାବାଳିକା ଏ ସଂକ୍ରାନ୍ତରେ ତାଙ୍କ ପରିବାରକୁ ଜଣାଇଥିଲେ। ପରେ ଅର୍ଥାତ୍‌ ୨୦୧୭ ଜାନୁଆରି ୧୩ରେ ଉଦିତନଗର ଥାନାରେ ଲିଖିତ ଏତଲ ଦେଇଥିଲେ। ନାବାଳିକାଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଡୋକାରିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ‌ଦେବାଶିଶ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର