ରେଙ୍ଗାଲି : ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦। ଏହି ସମୟରେ ହଠାତ୍‌ ଜଣେ ଯୁବକ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ମଧ୍ୟକୁ ପଶି ଆସିଲେ। କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ତୁରନ୍ତ ବାହାରିଯିବାକୁ ଧମକ ଦେଲେ। ଆଉ କର୍ମଚାରୀମାନେ ଭୟରେ ବାହାରିଯିବା ପରେ ପେଟ୍ରୋଲ୍‌ ଢାଳି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ। ହୁହୁ ହୋଇ ଜଳିଥିଲା ତହସିଲ କାର୍ଯ୍ୟାଳୟ। ଅଳ୍ପ ସମୟରେ ମଧ୍ୟରେ କାର୍ଯ୍ୟାଳୟର ୫୦ ପ୍ରତିଶତ କାଗଜପତ୍ର ଜଳିଗଲା। ଯୁବକ ଜଣକ ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ୍‌ ବି କଲେ। ଆଉ ଏଥିରେ ସେ କିପରି ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ତାହା ବଖାଣିଲେ।

Advertisment

ଏପରି ଏକ ଅଭାବନୀୟ ଘଟଣା ଆଜି ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଆତଙ୍କ ଖେଳାଇ ଦେଇଥିଲା। ଖବର ପାଇ ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ବିକାଶ ମୟୁର ଏବଂ ଏସ୍‌ଡିପିଓ ତପନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଯୁବକଙ୍କୁ କାବୁ କରିଥିଲେ। ଯୁବକ ଜଣକ ହେଲେ ଘିଛାମୁରା ପଞ୍ଚାୟତ ଗୁମକାରମା ଗ୍ରାମର ରାଜୀବ କିଷାନ (୪୦)। ପୁଲିସ ତାଠାରୁ ଅଟୋ, ୪/୫ ପ୍ୟାକେଟ୍‌ ଦିଆସିଲି, ଗୋଟିଏ କ୍ରିକେଟ୍‌ ବ୍ୟାଟ୍‌ ଏବଂ ଗୁଲେସ ଜବତ କରିଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଓ କମ୍ପ୍ୟୁଟର ଜଳିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ୨୦୦୪ ମସିହାରୁ ରାଜୀବଙ୍କ କିଛି ଜମିକୁ ଦଲାଲମାନେ କାରସାଦି କରି ବିକ୍ରି କରି ଦେଇଛନ୍ତି। ଏ ନେଇ ସେ ତହସିଲ କାର୍ଯ୍ୟାଳୟରେ ଯେତେ ଗୁହାରି କଲେ କେହି ଶୁଣୁନାହାନ୍ତି। ସବୁଆଡ଼ୁ ନିରାଶ ହେବା ପରେ ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦ରେ ଏକ ଅଟୋରେ ବ୍ୟାନର୍‌ ଲଗାଇ ନିଜେ ଚଳାଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଦୁଇ ପିଲା ଥିଲେ। ହାତରେ ଗୁଲେସ, ପେଟ୍ରୋଲ ଜାର ଓ ପେଟ୍ରୋଲ ଭିଜା ବସ୍ତା ଭଳି କିଛି ସାମଗ୍ରୀ ନେଇ ନିଜେ ଏକା ତହସିଲ କାର୍ଯ୍ୟାଳୟ ଭିତରେ ପଶିଥିଲେ। ଅ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବିଭାଗ, କମ୍ପ୍ୟୁଟର ଓ ରେକର୍ଡ ରୁମ ପାଖକୁ ଯାଇ ସେଠାରେ ଥିବା କର୍ମଚାରୀଙ୍କୁ ବାହାରକୁ ଚାଲିଯିବାକୁ ଧମକ ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଆଖି ସମ୍ମୁଖରେ ଏପରି ଘଟଣା ଘଟୁଥିଲେ ମଧ୍ୟ କର୍ମଚାରୀମାନେ କିଛି କରିପାରି ନଥିଲେ। ନ୍ୟାୟ ନ ମିଳିବାରୁ ସେ ଏପରି କରିଥିବା ଭିଡିଓରେ କହିଥିଲେ। କର୍ମଚାରୀମାନେ ସଙ୍ଗେ ସଙ୍ଗେ ଏ ବିଷୟରେ ତହସିଲଦାର ସୁନିଲ ମେହେରଙ୍କୁ ଜଣାଇବାରୁ ତହସିଲଦାର ଘଟଣା ସମ୍ପର୍କରେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ରେଙ୍ଗାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରାଜୀବକୁ ଗିରଫ କରିବା ସହିତ ଅଟୋ, ମାଚିସ୍‌, କ୍ରିକେଟ୍‌ ବ୍ୟାଟ୍‌ ଓ ଗୁଲେସ ଜବତ କରିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ବହୁତ ଗୁରୁତ୍ବପୂର୍ଣ୍ଣ ଫାଇଲ, କାଗଜପତ୍ର, କମ୍ପ୍ୟୁଟର, ଟେବୁଲ, ଚୌକି, ଜେରେକ୍ସ ମେସିନ, ପଙ୍ଖା ଆଦି ଜଳି ଯାଇଥିବା ଜଣାପଡ଼ିଛି। ପୁଲିସ ରାଜୀବକୁ ଅଟକ ରଖି ଅଧିକ ପଚରାଉଚରା ଚଳଉଛି।