କାଳିଆପାଣି : କାଳିଆପାଣି ଥାନା ସମ୍ମୁଖ କାଳିଆପାଣି ଗାଁର ମହାନ୍ତସାହିରେ ଗତକାଲି ବିଳମ୍ବିତ ରାତିରେ ଜନୈକ ଯୁବକ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି। ଏବେ କଟକ ବଡ଼ ଡାକ୍ତରଖାନାରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ଏହି ଯୁବକ ଜଣକ ଭକ୍ତ ମହାନ୍ତଙ୍କ ପୁଅ ପର୍ଶୁରାମ ଓରଫ୍ ପର୍ଶୁ(୩୦)। ପର୍ଶୁରାମ ସ୍ଥାନୀୟ ଓଏମ୍ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ଏଫ୍ କ୍ବାରିରେ ଜଣେ ଠିକା ଶ୍ରମିକ(ଡ୍ରାଇଭର) ଭାବେ କାର୍ଯ୍ୟ କରନ୍ତି।
ପ୍ରାପ୍ତ ଖବରୁ ପ୍ରକାଶ ଯେ, ଗତକାଲି ରାତି ୧୧ଟା ବେଳେ ପର୍ଶୁ ଘରକୁ ଫେରିଥିଲେ। ବିଳମ୍ବରେ ଘର ଫେରିବାକୁ ନେଇ ପ୍ରଥମେ ପତ୍ନୀ ଓ ପରେ ନିଜ ବାପାଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇ ପର୍ଶୁ ଘରେ ଥିବା ଏକ କିରାସିନ ଭର୍ତ୍ତି ଜାର୍ ଆଣି ନିଜ ଦେହରେ ଏହାକୁ ଢାଳି ଦେଇଥିଲେ। କେହି କିଛି ଭାବିବା ଆଗରୁ ପରିବାର ସଦସ୍ୟଙ୍କ ସମ୍ମୁଖରେ କିରାସିନ ଭିଜା ଦେହରେ ଦିଆସିଲି ମାରି ଦେଇଥିଲେ। ଏହାପରେ ଚିତ୍କାର କରି ତଳେ ଗଡ଼ିଥିଲେ। ବାପା ଉପାୟଶୂନ୍ୟ ହୋଇ ତାଙ୍କ ଉପରେ ଦି'ଗରା ପାଣି ଢାଳି ଦେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମତ ରଖିଛନ୍ତି। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ସୁକିନ୍ଦା ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆଜି ବଡ଼ି ଭୋରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଖବରପାଇ କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା। ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦେଶରେ ଏଏସ୍ଆଇ ବିଜୟ କୁମାର ସାହୁ ସଦଳବଳ କଟକ ପହଞ୍ଚି ଚିକିତ୍ସିତ ହେଉଥିବା ପର୍ଶୁଙ୍କୁ ଭେଟିଛନ୍ତି। ସଂଧ୍ୟାରେ ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପର୍ଶୁଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fire-1.jpg)