ଜୀବନ ଯନ୍ତ୍ରଣା: ମାନସିକ ବିକୃତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

ଜେଜେବାପା-ଜେଜେମା’ଙ୍କ ପାଇଁ ପାଲଟିଛନ୍ତି ବୋଝ

ବୈପାରିଗୁଡା: ପାଞ୍ଚ ବର୍ଷ ଧରି ଯୁବକଙ୍କର ହାତ-ଗୋଡ଼ ବନ୍ଧା ଯାଇଛି। ଜନ୍ମରୁ ଆଜି ଯାଏଁ ଦୁଃଖଦ ଅବସ୍ଥାରେ ଜୀବନ ବିତୁଛି। ମାତ୍ର ୨୫ ବର୍ଷ ବୟସରେ ଏଭଳି ଯନ୍ତ୍ରଣାଦାୟକ ଜୀବନ କାଟୁଥିବା ଯୁବକ ଜଣକ ନିଜ ଜେଜେବାପା ଓ ଜେଜେମାଙ୍କ ବୃଦ୍ଧାବସ୍ଥାରେ ବୋଝ ପାଲଟିଯାଇଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି.ମାଝିଗୁଡା ପଞ୍ଚାୟତର ବଣ ପାହାଡ଼ ଘେରା ସାନବାଙ୍କୁଲି ଗ୍ରାମରେ। ଏହି ଗ୍ରାମର ସାଧବ ଖରାଙ୍କ ପଚିଶି ବର୍ଷର ନାତି ପ୍ରତାପଙ୍କ ମାନସିକ ବିକୃତି ଜନିତ ଅବସ୍ଥା ବୃଦ୍ଧ ଜେଜେବାପା ଓ ଜେଜେମାଙ୍କୁ ଅସହାୟ କରିଦେଇଛି।

ସାଧବ ଖରାଙ୍କ କହିବା ଅନୁଯାୟୀ, ନାତି ପ୍ରତାପର ବୟସ ଯେତେବେଳେ ମାତ୍ର ତିନି ବର୍ଷ ସେତେବେଳେ ଦୁର୍ଭାଗ୍ୟଜନକ ଭାବେ ପୁଅ ରାମ ଏବଂ ବୋହୂ ସନମତି ଯେମିତି ଡକାଡକି ହୋଇ ଆରପାରିକୁ ଚାଲିଗଲେ। ସେବେଠାରୁ ନାତି ପ୍ରତାପକୁ ନେଇ ସାଧବ ନିଜ ସଂସାର ସମ୍ଭାଳି ଆସିଥିଲେ। ପ୍ରତାପଙ୍କୁ ଯେତେବେଳେ ଅଠର ବର୍ଷ ବୟସ, ସେତେବେଳେ କାନ ପଛ ପାଖରେ ବଥଟିଏ ଉଠିଥିଲା। ତାହା କ୍ରମଶଃ ବଡ଼ ଆକାର ଧାରଣ କରି ଫାଟିଯାଇଥିଲା। ଏହାପରେ ପ୍ରତାପ ବାହାରକୁ ସୁସ୍ଥ ମନେ ହେଉଥିଲେ ମଧ୍ୟ ଭିତରେ ବୋଧେ ତାହା ସଂକ୍ରମଣର ରୂପ ନେଇଥିବା ସଂଦେହ କରାଯାଏ। କାରଣ, ଏହାର କିଛି ଦିନ ପରେ ପ୍ରତାପର ଆଚାର ବ୍ୟବହାରରେ ଅସ୍ବାଭାବିକତା ଦେଖା ଦେଇଥିଲା ଏବଂ ଧିରେଧିରେ ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା। ଯାହାଫଳରେ ଦିନେ ଦିନେ ସେ ରାତି ହେଉ କି ଦିନ ହଠାତ୍ ଘର ଛାଡ଼ି ଲକ୍ଷ୍ୟହୀନ ଭାବେ ଚାଲିଯାଉଥିଲା।

ଜେଜେବାପା ସାଧବ ଖୋଜାଖୋଜି କରି ଘରକୁ ଫେରେଇ ଆଣୁଥିଲେ। ପରେପରେ ପ୍ରତାପର ମାନସିକ ବିକୃତି ବିଗିଡିବାକୁ ଲାଗିଲା ଏବଂ ପାଗଳ ପ୍ରାୟ ଯାହାକୁ ପାଇଲା, ମାରିବାକୁ ଗୋଡେଇଲା। ଏଭଳି କାଣ୍ଡ ଦେଖି ସାଧବ ଶେଷରେ ବାଧ୍ୟହୋଇ ହାତ ଗୋଡ ବାନ୍ଧି ଘର ଭିତରେ ରଖିଛନ୍ତି। ସାଧବଙ୍କ କହିବା ଅନୁଯାୟୀ, ପ୍ରଥମ ଅବସ୍ଥାରେ କଥା କହୁଥିଲା ଏବଂ ଖାଇବା ପାଇଁ ମାଗୁଥିଲା। ପରବର୍ତ୍ତୀ ସମୟରେ କଥାବାର୍ତ୍ତା ବନ୍ଦ କରିବା ସହ ଖାଇବା ପିଇବା କଥା ଭୁଲିଗଲା। ସାଧବ କିନ୍ତୁ ଦିନରେ ତିନି ଥର ନିଜ ହାତରେ ଖୁଆଉଛନ୍ତି। ପ୍ରତାପର ପାଗଳାମି ଆରମ୍ଭ ହେବାବେଳେ ସେ ବୈପାରିଗୁଡା, ଜୟପୁର ଏବଂ ଶେଷରେ କୋରାପୁଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ପ୍ରତାପକୁ ବଡ଼ ଡ଼ାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ସାଧବ ଗରିବ ହୋଇଥିବା ବେଳେ ବିଶେଷ ଆୟ ନଥିବା ଯୋଗୁଁ ବଡ଼ ଡ଼ାକ୍ତରଖାନାକୁ ଯିବା ସମ୍ଭବପର ନୁହେଁ। ତେଣୁ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ପ୍ରତାପକୁ ବିକଳାଙ୍ଗ ଭତ୍ତା ବାବଦକୁ ମିଳୁଥିବା ପାଞ୍ଚ ଶହ ଟଙ୍କାରେ ସେମାନେ ଚଳୁଥିବା କହିଛନ୍ତି। ପ୍ରତାପର ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ସାଧବ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର