ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାକି ଟଙ୍କା ନ ଶୁଝିବାରୁ ଜଣେ ଯୁବକଙ୍କୁ ଆଉ ଜଣେ ଲୋକ ଭୁଜାଲିରେ ଭୁସି ଦେଇଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲା ପରେ ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ କଟିବୁଲା (୩୯)।

Advertisment

ବିବରଣୀରୁ ପ୍ରକାଶ ଯେ ସ୍ଥାନୀୟ ଗୋବର୍ଦ୍ଧନପୁର ଗ୍ରାମର ପିତାମ୍ବର ନାଥଙ୍କ ସାନ ପୁଅ କଟିବୁଲାଙ୍କ ସହ ପ୍ରହ୍ଲାଦ ନାଥଙ୍କ ପୁଅ ବୁଦ୍ଧେଶ୍ବରଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ଗଣ୍ଡଗୋଳ ରହିଥିଲା। ଆଜି ବାଗ ଗାଁ ଭିତରକୁ ବୁଦ୍ଧେଶ୍ବର ବାଇକରେ ଯାଉଥିବା ବେଳେ କଟିବୁଲା ତାଙ୍କୁ ଅଟକାଇ ବାକି ଟଙ୍କା ମାଗିବାରୁ କଥା କଟାକଟି ହୋଇଥିଲା। ଆଉ ଶେଷରେ ନିଜ ପାଖରେ ଲୁଚାଇ ରଖିଥିବା ଏକ ଭୁଜାଲିରେ କଟିବୁଲା ବୁଦ୍ଧେଶ୍ବରଙ୍କ ପେଟରେ ଭୁସି ଦେଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବୁଦ୍ଧେଶ୍ବରକୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। କଟିବୁଲାକୁ ଗ୍ରାମବାସୀ ଅଟକ ରଖି ବାନ୍ଧି ପକାଇଥିବା ବେଳେ ପୁଲିସକୁ ଖବର ଦେଇଛନ୍ତି।