ଯାଜପୁର : ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

ଧର୍ମଶାଳା : ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ଅନ୍ତର୍ଗତ ଠେଙ୍ଗିଆ ମଠ ନିକଟରେ ନିର୍ମାଣାଧୀନ ଓଭରହେଡ୍ ପାଣିଟାଙ୍କି ଉପରକୁ ଚଢି ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ବାରମ୍ବାର ଧମକ ଦେଉଥିଲେ। ସୁନ୍ଦରିଆ ଗ୍ରାମର ଶ୍ରମିକ ବସନ୍ତ ଯେନା(୪୦) ଆଜି ଅପରାହ୍ନ ୪ଟାରେ ସମସ୍ତଙ୍କ ଅଜାଣତରେ ପ୍ରାୟ ୩୫ଫୁଟ୍ ଉଚ୍ଚ ପାଣିଟାଙ୍କି ଉପରକୁ ଚଢି ଯାଇଥିଲେ। ପାଣିଟାଙ୍କି ଉପରେ ବସି ତାଙ୍କୁ ବଡଭାଇ ମାରଧର କରୁଥିବାରୁ ସେ ଏଠାରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏଥିସହ ତାଙ୍କୁ ପାଣି ଟାଙ୍କିରେ କାମ କରିବାକୁ ଦିଆଯାଉ ବୋଲି ଦାବି କରୁଥିଲେ।

ଏହି ଖବର ଜଣାପଡିବା ପରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଯାଇଥିଲା। ମେଗା ପାନୀୟଜଳ ପ୍ରକଳ୍ପ ଠିକାସଂସ୍ଥାର କର୍ମଚାରୀଙ୍କ ସମେତ ତାଙ୍କ ସଂପର୍କୀୟମାନେ ତାଙ୍କର ସବୁ କଥା ବୁଝାଯିବ ଏବଂ ସମସ୍ତ ଦାବି ପୂରଣ କରାଯିବ ବୋଲି କହି ତଳକୁ ଓହ୍ଲାଇ ଆସିବାକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ବସନ୍ତ ତଳକୁ ଓହ୍ଲାଇ ନଥିଲେ। ଏ ସଂପର୍କରେ ଖବରପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କୌଶଳକ୍ରମେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପାଣିଟାଙ୍କି ଉପରକୁ ଚଢି ଦୌଡି ସାହାଯ୍ୟରେ ତାଙ୍କୁ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ସେ ନିଶାସକ୍ତ ଥିଲେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର