ବ୍ରଜରାଜନଗର: ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରରେ ୨୧ ତାରିଖରେ ସରୋଜ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ମୁଣ୍ଡରେ ପିସ୍ତଲ ଦେଖାଇ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାରସୁଗୁଡା ସଦର ଥାନା ଏକତାଲି ହରିଜନପଡ଼ାର ନିକେଟ ଜୟପୁରିଆ (୨୨), ଲଇକେରା ଥାନା ବଣ୍ଡଳୀର ଯୁଧିଷ୍ଠିର ମହାନନ୍ଦିଆ (୨୫), କୋଲାବିରା ଥାନା ସିଂଘାବାହାଲର ଅନାଦି ରୋହିଦାସ (୩୦) ଓ କୋଲାବିରା ଥାନା ଅନ୍ତର୍ଗତ ପାଇକପଡାର ଦେବେନ୍ଦ୍ର କଉଡ଼ି (୨୯)। ସେମାନଙ୍କଠାରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ସିଙ୍ଗିଲ ସଟ ୨ ଏମଏମ ର ପିସ୍ତଲ, ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଏନେଇ ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ମାମଲା ରୁଜୁ ହେବାର ୬ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଓରିଏଣ୍ଟ ଥାନା ଅଧିକାରୀ କଲ୍ୟାଣୀ ବେହେରା ଓ ତାଙ୍କ ଟିମ୍ର ବିଶେଷ ସଫଳତା ବୋଲି କହିଥିଲେ। ଅଭିଯୁକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ସରୋଜ କାଳୀନଗରରେ ରୁହନ୍ତି। ଗତକାଲି ୪ଜଣ ଯୁବକ ସରୋଜଙ୍କୁ ଡାକି ନେଇ ମୁଣ୍ଡରେ ପିସ୍ତଲ ରଖି ଜୀବନରେ ମାରିଦେବାର ଧମକ ଦେଇଥିଲେ। ରାତିରେ ସରୋଜ ଭୟଭୀତ ହୋଇ ଘରକୁ ଯାଇନ ଥିଲା। ସକାଳୁ ଓରିଏଣ୍ଟ ଥାନାକୁ ଆସି ସେମାନଙ୍କୁ ନାମରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ଓରିଏଣ୍ଟ ପୁଲିସ ପକ୍ଷରୁ ଏକ ମାମଲା ଧାରା ୩୪୧,୨୯୪,୫୦୬,୩୪ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫,୨୭ ରେ ରୁଜୁକରି ତଦନ୍ତ କରାଯାଇଥିଲା। ଓରିଏଣ୍ଟ ଥାନା ଅଧିକାରୀ ଶ୍ରୀମତୀ ବେହେରାଙ୍କ ନେତୃତ୍ୱରେ ଏସ୍ଆଇ ଆଶୁତୋଷ ମହାନ୍ତି, ଏଏସ୍ଆଇ ସୁଶୀଲ ନେଟି, ଏଏସ୍ଆଇ ସମରା କୁଜୁର, ଏଏସ୍ଆଇ ଅଭୟ ମହାନ୍ତି, ସତ୍ୟାନନ୍ଦ ମାଝୀ, ଜ୍ୟୋତି ମେଲଖା ପ୍ରମୁଖ ଚଢ଼ଉ କରିଥିଲେ।