ବନ୍ତଳା : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଟାକରସିଙ୍ଗା ଗାଁରେ ଗତରାତିରେ ସଂଘଟିତ ଏକ ନୃଶଂସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଙ୍ଗଲରୁ ପଶି ଆସିଥିବା ଏକ ହରିଣଛୁଆ ଲାଳନପାଳନକୁ କେନ୍ଦ୍ରକରି ସୃଷ୍ଟ ବିବାଦରୁ କିଛି ଲୋକ ଗାଁର ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଛନ୍ତି। ଏ ନେଇ ଗାଁରେ ଉତ୍ତେଜନା ଲାଗିରହିଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟାକରସିଙ୍ଗା ଗାଁ ମହ୍ଲାରସାହିକୁ ପ୍ରାୟ ୮ ଦିନ ତଳେ ଜଙ୍ଗଲରୁ ଏକ ହରିଣଛୁଆ ପଶିଆସିଥିଲା। ମହ୍ଲାରସାହିର କିଛି ଲୋକ ହରିଣଛୁଆଟିକୁ ଘରେ ରଖିଥିଲେ। ସେମାନେ କାହିଁକି ହରିଣଛୁଆ ରଖିଛନ୍ତି ବୋଲି ଗାଁର ୫ ଜଣ ବ୍ୟକ୍ତି ପହଞ୍ଚି ପଚରାଉଚରା କରିଥିଲେ। ଏହାକୁ ନେଇ କଥା କଟାକଟିରୁ ସେମାନେ ଉତ୍କ୍ଷିପ୍ତ ହୋଇ ହରିଣଛୁଆ ରଖିଥିବା ଲୋକଙ୍କୁ ମାଡ଼ପିଟ କରିଥିଲେ। ଏହି ଘଟଣାରେ ଗାଁର ଜଣେ ଯୁବକ ଶ୍ରୀଧର ଦେହୁରୀ(୩୬)ହସ୍ତକ୍ଷେପ କରିଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ଏହି ୫ ଜଣ ବ୍ୟକ୍ତି ସପ୍ତାହେ ପୂର୍ବରୁ ଶ୍ରୀଧରଙ୍କୁ ନିର୍ଘାତ ପିଟିଥିଲେ। ଫଳରେ, ତାଙ୍କର ପ୍ରାଣହାନି ଘଟିଛି। ଏ ସଂପର୍କରେ ଶ୍ରୀଧରଙ୍କ ଭାଇ ତଥା ଗାଁର ୱାର୍ଡ଼ ମେମ୍ବର ମୂଳିଆ ଦେହୁରୀ ଥାନାରେ ଅଭିଯୋଗ କରିଛନ୍ତି।