ଭଦ୍ରକ/ଧାମନଗର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଛି। ଏହି ଘଟଣାକୁ ନେଇ ଧାମନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଥାନା ଆଗରେ ରାସ୍ତାରୋକ କରିଛନ୍ତି।
ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢେ ତିନିଟା ସମୟରେ ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ନିକଟରେ ଦକ୍ଷିଣବାଡ ଗ୍ରାମର ସ୍ବର୍ଗତ ତ୍ରିଲୋଚନ ପଣ୍ତାଙ୍କ ପୁଅ ସତ୍ୟଜିତ ପଣ୍ତା (୨୩)ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ ଗାଡ଼ିରେ ସତ୍ୟଜିତଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟଜିତ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରି, ଏସ୍ଆଇ ମୋତିଲାଲ ମାରାଣ୍ତି, ଏଏସ୍ଆଇ ମହେଶ୍ବର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଯେଉଁ ସ୍ଥାନରୁ ସତ୍ୟଜିତଙ୍କୁ ଉଦ୍ଧାର କରାଯାଇଥିଲା ସେଠାରେ ତାଙ୍କ ବାଇକ୍ ପଡ଼ିଥିବାବେଳେ ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। କିଛିମାସ ତଳେ ସତ୍ୟଜିତଙ୍କ ସହିତ ଉକ୍ତ ଅଞ୍ଚଳର କେତେକ ଯୁବକଙ୍କ ସହିତ ଗଣ୍ତଗୋଳ ହୋଇଥିଲା। ପୂର୍ବ ରାଗରୁ ସେହି ଯୁବକମାନେ ତାଙ୍କୁ ଲୁହା ରଡ୍ରେ ପିଟି ପିଟି ଅଚେତ ଅବସ୍ଥାରେ ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ସନ୍ଦେହ କରିଛି ପୁଲିସ। ସେହି ଦିଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିବା ଆଇଆଇସି ଶ୍ରୀ ଗିରି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ସତ୍ୟଜିତଙ୍କ ପରିବାର ଓ ଗାଁ ଲୋକେ ଆଜି ଥାନା ଆଗରେ ରାସ୍ତାରୋକ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/attack_new-1.jpg)