ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଇଲାକାରେ ଘଟିଛି ଏକ ହତ୍ୟାକାଣ୍ଡ। କୌଣସି କାରଣକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ବଚସା ହୋଇ ଜଣେ ଅନ୍ୟ ଜଣଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ଶବ କେନାଲ୍ରେ ଫିଙ୍ଗି ଦିଆଯାଇଥିଲା। ଗୁରୁବାର ସଂଧ୍ୟାରେ ସଦର ଥାନା ପୁଲିସ ଦମକଳ ବାହିନୀର ସହାୟତାରେ ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକଙ୍କ ଲାଞ୍ଜିଆ ଗ୍ରାମର ନରେନ୍ଦ୍ର ଗୌଡ଼ ବୋଲି ପୁଲିସ କହିଛି। ନରେନ୍ଦ୍ରଙ୍କୁ ହତ୍ୟା କରିଥିବା ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ନରେନ୍ଦ୍ର ଗତରାତି ଗାଁରେ ଏକ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ଭୋଜିରେ ଖାଇବା ବେଳେ କୌଣସି କାରଣକୁ ନେଇ ନରେନ୍ଦ୍ରଙ୍କ ସହ ସେହି ଗ୍ରାମର ଶିବରାମ ଗୌଡ଼ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏପରିକି ହାତାହାତି ଯାଏଁ ମଧ୍ୟ କଥା ଯାଇଥିଲା। ଏହା ଦେଖି ଅନ୍ୟମାନେ ଉଭୟଙ୍କୁ ବୁଝାସୁଝା କରି ସେଠାରୁ ବିଦା କରିଥିଲେ। କିନ୍ତୁ ଶିବରାମ ପ୍ରତିଶୋଧ ନେବା ପାଇଁ ଛକି ରହିଥିଲା। ଭୋଜି ସରିବା ପରେ ନରେନ୍ଦ୍ର ଗାଁ ନିକଟସ୍ଥ କେନାଲ ହୁଡ଼ା ଦେଇ ଯାଉଥିବା ବେଳେ ଶିବରାମ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ନରେନ୍ଦ୍ରଙ୍କ ବେକକୁ କାଟି କେନାଲରେ ଫିଙ୍ଗି ଦେଇଥିଲେ। ବିଳମ୍ବିତ ରାତି ସୁଦ୍ଧା ନରେନ୍ଦ୍ର ଘରକୁ ଫେରି ନଥିଲେ। ଏଥିରେ ପରିବାରବର୍ଗଙ୍କୁ ନାନା ସନ୍ଦେହ ହୋଇଥିଲା। ନରେନ୍ଦ୍ର ଆଜି ସକାଳ ସୁଦ୍ଧା ମଧ୍ୟ ଘରକୁ ଫେରି ନଥିଲେ। ଅପରାହ୍ଣରେ କେନାଲରେ ଜଣେ ଯୁବକଙ୍କ ଶବ ଭାସୁଥିବା ନେଇ ଖବର ମିଳିଥିଲା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସଂଧାନ ଆରମ୍ଭ କରିଥିଲା। ପରେ ଦମକଳ ବାହିନୀ ସହାୟତାରେ ସଂଧ୍ୟାରେ ଶବ ଉଦ୍ଧାର କରାଯାଇଥିଲା। ନରେନ୍ଦ୍ରଙ୍କ ପରିବାରବର୍ଗ ଶବ ଚିହ୍ନଟ କରିଥିଲେ। ତାଙ୍କ ବେକରେ କଟା ଦାଗ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କର ବେକ କଟାଯାଇଥିବା ପୁଲିସ କହିଛି। ଶିବରାମକୁ ଜେରା ପରେ ସେ ସମସ୍ତ ଘଟଣା ସ୍ବୀକାର କରିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead-body-860x573_1200x768_1200x768.jpeg)