ଏସ୍‌ସିବିରେ ଆଖିବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ

ଚିକିତ୍ସାରେ ଅବହେଳା ଅଭିଯୋଗ କରି ପୂର୍ବରୁ ଇଚ୍ଛା ମୃତ୍ୟୁ ମାଗିଥିଲେ

ଭୁବନେଶ୍ବର/କୁଜଙ୍ଗ : ବୁଧବାର ବିଧାନସଭା ସମ୍ମୁଖରେ ନିଜର ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲ୍‌ରେ ଆଖି ବୁଜିଛନ୍ତି।। ଘଟଣାସ୍ଥଳରୁ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ପଠାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ହାତ କାଟିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହେବା ଓ ବିଷପାନ ଯୋଗୁଁ ସେ ଅତ୍ୟଧିକ ଗୁରୁତର ହୋଇପଡ଼ିଥିବାରୁ ମୃତ୍ୟୁ ଘଟିଛି।

ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଦୁଷ୍ମନ୍ତ ଚାଲି ଚାଲି ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ହଠାତ୍ ତାଙ୍କ ହାତ କାଟି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଚିତ୍କାର କରିବାରୁ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ। ଘଟଣା ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ଆମ୍ବୁଲାନ୍‌ସକୁ ଡକାଇବା ସହ ପୁଲିସ ତାଙ୍କର ପ୍ରାଥମିକ ଚିକିତ୍ସା‌ କରୁଥିବା ବେଳେ ସେ ବିଷ ପିଇ ଦେଇଥିବା କଥା କହିଥିଲେ।

ତେଣୁ ତୁରନ୍ତ ପୁଲିସ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ ହସ୍‌ପିଟାଲକୁ ପଠାଇଥିଲା। ବିଷ ପିଇଥିବାରୁ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ଆଜି ସନ୍ଧ୍ୟାରେ ଦୁଷ୍ମନ୍ତ ସେଠାରେ ଆଖି ବୁଜି ଦେଇଥିଲେ।

ଏଭଳି ଚରମ ପଦକ୍ଷେପ ନେବା କାରଣ ବାବଦରେ ସେ ଗଣମାଧ୍ୟମକୁ କହିଥିଲେ ଯେ ଗତବର୍ଷ ମାର୍ଚ୍ଚ ୨୨ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା। କଟକ ବଡ଼ ମେଡିକାଲରେ ସେ ଚିକିତ୍ସାଧୀନ ଥିବା ବେଳେ ଉପଯୁକ୍ତ ଚିକିତ୍ସା ପାଇନଥିଲେ। ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ କଟକ ଡାକ୍ତରମା‌ନେ ତାଙ୍କୁ ଘରକୁ ପଳାଇବାକୁ ପରୋକ୍ଷରେ କହୁଥିଲେ। ଏମିତିକି ତାଙ୍କୁ ଜୋର୍‌ କରି ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ପିଜି ଛାତ୍ରମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। କରୋନା ଆଳରେ ଅପରେସନ୍ ନକରି କେବଳ ଔଷଧ ଦେଇ ବେଡ୍‌ରେ ପକାଇ ରଖିଥିଲେ। ପ୍ଲା‌ଷ୍ଟିକ୍‌ ସର୍ଜରିକୁ ଘୁଞ୍ଚାଇ ଦିଆଯାଇଥିଲା। ତେଣୁ ଗୋଡ଼ ହରାଇବା ନିଶ୍ଚିତ ହେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାନସିକବିକାରଗ୍ରସ୍ତ ସ୍ତ୍ରୀ ଓ ଗରିବ ବାପାମା’ଙ୍କୁ ନେଇ ବଞ୍ଚିବା କଷ୍ଟକର ହେବ ବୋଲି ଜାଣି ସେ ଇଛା ମୃତ୍ୟୁ ପାଇଁ ପ୍ରଶାସନକୁ ଚିଠି ଲେଖିଥିଲେ। ଜିଲ୍ଲାପାଳଙ୍କୁ ଚିଠି ଦେବା ପରେ ସ୍ବାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଇଛା ମୃତ୍ୟୁ ପ୍ରସଙ୍ଗରେ ଚିଠି ଲେଖିଥିଲେ। ମାତ୍ର କୌଣସିଠାରୁ ତାଙ୍କୁ ସହଯୋଗ ମିଳିନଥିଲା। ତେଣୁ ଶେଷରେ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ ବୋଲି କହିଥିଲେ।

ଇଥିମଧ୍ୟରେ ଖବର ମିଳିିଛି ଯେ ଆଜି ରାତି ସାଢ଼େ ୧୧ଟାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର