ଛାତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଯୁବକ ରାଉରକେଲାରୁ ଗିରଫ

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଗତ ୯ ତାରିଖ (ଶନିବାର) କଲେଜରୁ ଘରକୁ ଫେରୁଥିଲେ। ଟାଙ୍ଗରକର୍ଲେରୁ ପୂଜାଡୁଙ୍ଗୁରି ରାସ୍ତାରେ ଜଣେ ଯୁବକ ତାଙ୍କୁ ଅସଦାଚରଣ କରିବା ସହ ଧାନକଟା ଦା’ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ସୋନପୁର ପୁଲିସ୍‌ ରାଉରକେଲାରୁ ଗିରଫ କରି କୋର୍ଟଚଲାଣ କରିଛି।

ସୂଚନାଥାଉ କି, ପୀଡ଼ିତା ଛାତ୍ରୀଙ୍କ ମାମୁ ଏହି ଘଟଣାରେ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାମପୁର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଘଟଣା ଘଟିଥିବା ସ୍ଥାନରୁ ଏକ ସାଇକଲକୁ ଜବତ କରିଥିଲା। ତେବେ ସାଇକଲଟି ଟାଙ୍ଗରକର୍ଲେ ନିବାସୀ ରାଜେଶ ଭୁଏ (୨୫ ବର୍ଷ)ର ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଥିଲେ। ପରେ ପରେ ମାମଲାର ତଦନ୍ତରେ ବିଳମ୍ବ ହେଉଥିବା ଅଭିଯୋଗ କରି ଡୁଙ୍ଗୁରିପାଲି ବ୍ଲକ୍‌ ଏସ.ସି କଲ୍ୟାଣ ସଂଘ ଏବଂ ସୁବର୍ଣ୍ଣପୁର ଆଦିବାସୀ କଲ୍ୟାଣ ସଂଘ ବିରୋଧ କରିଥିଲେ। ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁବର୍ଣ୍ଣପୁର ଏସ୍‌ପିଙ୍କୁ ଦାବି କରିଥିଲେ। ଦୋଷୀକୁ ଶୀଘ୍ର ଗିରଫ କରାନଗଲେ ଆନ୍ଦୋଳନ ଜୋରଦାର ହେବବୋଲି ଧମକ ଦେଇଥିଲେ।

ବିଭିନ୍ନ ମହଲରୁ ଚାପ ହେବାପରେ ସୁବର୍ଣ୍ଣପୁର ଏସ୍‌ପି ଏକ ଟିମ୍‌ ଗଠନ କରି ତଦନ୍ତ ଜୋରଦାର କରିଥିଲେ। ତେବେ ଫେରାର ଯୁବକ ରାଉରକେଲାରେ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଏସ୍‌ପିଙ୍କ ନିର୍ଦେଶକ୍ରମେ ଉକ୍ତ ଟିମ୍‌ ରାଉରକେଲା ଯାଇ ସ୍ଥାନୀୟ ପୁଲିସ୍‌ ସହାୟତାରେ ଅଭିଯୁକ୍ତ ଯୁବକକୁ ଗିରଫ କରି ରାମପୁର ଥାନାକୁ ଆଣିଥିଲା। ଗିରଫ ହେବା ପରେ ଅଭିଯୁକ୍ତ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଛି ବୋଲି ସ୍ବୀକାର କରିଛି। ଏନେଇ ପୁଲିସ ତରଫରୁ ସୂଚନା ମିଳିଛି। ଏଟ୍ରୋସିଟିସ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି। ଡିଏସ୍‌ପି ହେମସାଗର ନନ୍ଦ କେସ୍‌ର ଦାୟିତ୍ବ ନେଇଛି। ପୁଲିସ‌୍‌ ଅଭିଯୁକ୍ତ ଯୁବକକୁ ଘଟଣାସ୍ଥଳକୁ ନେଇ ନିକଟସ୍ଥ କେନାଲ ନିକଟରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଦା’ ଜବତ କରିଛି। ଡିଏସପି ଶ୍ରୀ ନନ୍ଦ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାର ବୟାନ ରେର୍କଡ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର