କର୍କଟ ଶଯ୍ୟାରେ ଦାଦନ ଫେରନ୍ତା ଯୁବକ, ଚିକିତ୍ସା ପାଇଁ ଲୋଡ଼ା ସରକାରୀ ସହାୟତା

ଦାରିଙ୍ଗବାଡ଼ି : କର୍କଟ ଆକ୍ରାନ୍ତ ଦାଦନ ଫେରନ୍ତା ଯୁବକ ଚିକିତ୍ସା ଅଭାବରୁ ମୃତ୍ୟୁ ଶଯ୍ୟାରେ ପଡ଼ି ଛଟପଟ ହେଉଛନ୍ତି। ମୁଖ କର୍କଟ ହୋଇଥିବାରୁ ଖାଇ ପାରୁ ନାହାନ୍ତି। ଆର୍ଥିକ ସମସ୍ୟା ପାଇଁ ଚିକିତ୍ସା କରାଇ ନପାରି ଶଯ୍ୟାର ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସ୍ରାନିକେତା ପଞ୍ଚାୟତ ପାଦେରିମାହା ଗ୍ରାମରେ। ଗ୍ରାମର ପିତର ପ୍ରଧାନଙ୍କ ପୁଅ କରୁଣାକର(୨୫) ୭ ମାସ ହେବ ମୁଖ କର୍କଟରେ ଆକ୍ରାନ୍ତ। ଆର୍ଥିକ ସମସ୍ୟା ପାଇଁ ସେ ଏହାର ଚିକିତ୍ସା କରାଇ ପାରୁ ନଥିବାରୁ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୁଣାକରଙ୍କ ମୁହଁର ଡାହାଣ ଭାଗ ପ୍ରାୟ ୬୦ ପ୍ରତିଶତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ଡାହଣ ଆଖି, କାନ ଓ ନାକ ନଷ୍ଟ ହୋଇ ବେକ ଆଡ଼କୁ ମାଡ଼ି ଆସିଲାଣି। ଚିକିତ୍ସା କରା ନଗଲେ ଆଗାମୀ ଦିନରେ ଖାଦ୍ୟନଳୀକୁ ସଂକ୍ରମିତ ହେବାର ଆଶଙ୍କା ଅଛି।

କରୁଣାକର ଜଣେ ଗରିବ ପରିବାରର। ସେ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୧୧ ମାସର ଝିଅଟିଏ ଅଛି। ପରିବାର ଚଳାଇବା ପାଇଁ ୨ ବର୍ଷ ତଳେ ସ୍ତ୍ରୀଙ୍କୁ ଧରି ଦାଦନ ପଳାଇଥିଲେ। କରୋନା ପାଇଁ କାମ ବନ୍ଦ ହେବାରୁ ଉଭୟ ଗାଁକୁ ଫେରି ଆସିଥିଲେ। ଏହାପରେ କରୁଣାକର କର୍କଟରେ ଆକ୍ରାନ୍ତ ହୋଇଥିଲେ। ବାପା ପିତର ପ୍ରଧାନ ପୁଅର ଚିକିତ୍ସା ପାଇଁ ନିଜର ବିଲ, ଗୋରୁ ଗାଈ ଓ ଛେଳି ଆଦି ବିକ୍ରି କରି ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ନେଇଥିଲେ। ହେଲେ କୌଣସି ଫଳ ମିଳିନଥିଲା। ଏହାପରେ ପିତା ସ୍ଥାନୀୟ ବିଧାୟକଙ୍କୁ ପୁଅର ଦୁଃଖ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳିପାରିନି। ତେବେ ଖବର ପାଇ ଦାରିଙ୍ଗବାଡ଼ି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ନିଜେ କରୁଣାକରଙ୍କ ନିକଟରେ ପହଞ୍ଚି ତାଙ୍କ ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ୍ କରିଛନ୍ତି। ଏହାସହ ସେ ସହାୟତା ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇବା ସହ ତାଙ୍କ ନିର୍ଦ୍ଦେଶ ପ୍ରକାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର